ଶରଧା ବାଲିରେ ତିନି ରଥ, ଭାଇ-ଭଉଣୀଙ୍କ ପଛରେ ପହଞ୍ଚିଲେ ଶ୍ରୀଜଗନ୍ନାଥ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େଛଅଟା ସୁଦ୍ଧା ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲିରେ ତିନି ରଥ ପହଞ୍ଚି ଯାଇଛି। ପ୍ରଥମେ ତାଳଧ୍ବଜ ଓ ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତ ନନ୍ଦିଘୋଷ ଚଢ଼ି ଶରଧାବାଲିରେ ପହଞ୍ଚିଛନ୍ତି।

ତାଳଧ୍ୱଜ, ଦର୍ପଦଳନ ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ଜଣ ଜଣ କରି ତିନି ଠାକୁର ମାଉସୀ ଗୁଣ୍ଡିଚା ମା ମନ୍ଦିର ନିକଟରେ ପହଞ୍ଚି ସାରିଛନ୍ତି । ଭକ୍ତଙ୍କ ଭିଡରେ ଏବଂ ଭକ୍ତଙ୍କ ହାତରେ ବଡ ଦେଉଳରୁ ବାହାରି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ଜ୍ୟେଷ୍ଠଭ୍ରାତା ବଳରାମଙ୍କ ରଥ ତାଳଧ୍ୱଜ ମାଉସୀ ମା ମନ୍ଦିର ନିକଟରେ ବିଜେ କରିଥିଲେ । ଏହାପରେ ଗେହ୍ଲି ଭଉଣୀ ସୁଭଦ୍ରା ଦର୍ପଦଳନ ରଥରେ ପହଞ୍ଚିଥିଲେ ଗୁଣ୍ଡିଚା ମନ୍ଦିର ନିକଟରେ । ଶେଷରେ ଲୀଳାମୟ, ଭକ୍ତବତ୍ସ, ଭାବଗ୍ରାହୀ ଜଗନ୍ନାଥ ନନ୍ଦିଘୋଷ ରଥରେ ଶରଧା ବାଲିରେ ଉଭା ହୋଇଛନ୍ତି । ଲକ୍ଷଲକ୍ଷ ଭକ୍ତ-ଶ୍ରଦ୍ଧାଳୁଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ମାନ୍ୟଗଣ୍ୟବ୍ୟକ୍ତି ରଥ ଟାଣିଛନ୍ତି।