ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି । ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ ଜଣାଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘରେ ମୋଟ ୭୫୨ଟି ଚୁଲିଥିବା ସେ କହିଛନ୍ତି। ଚୁଲିଗୁଡ଼ିକ କଞ୍ଚା ଥିଲା, ତାକୁ କେହି ପେଲି ଭାଙ୍ଗି ଦେଇଥିବା କୁହାଯାଉଛି।

ଗତକାଲି ରାତିରେ କେହି ଦୁର୍ବୃତ୍ତ ରୋଷଘର ଚୁଲି ଭାଙ୍ଗିଦେଇଥିବା ସୂଚନା ମିଳିଛି ।  ଆଡ଼ପ ଅବଢ଼ା ରନ୍ଧା ପାଇଁ ଚୁଲି ପ୍ରସ୍ତୁତ ହୋଇଥିଲା । କୋଠଭୋଗ ଚୁଲିକୁ ଛାଡ଼ି ସବୁ ଚୁଲି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ବର୍ତ୍ତମାନ ଚୁଲିଗୁଡ଼ିକର ମରାମତି ଚାଲିଥିବା ସୂଚନା ମିଳିଛି ।

ସୂଚନା‌ଯୋଗ୍ୟ, କିଛି ମାସ ତଳେ ଶ୍ରୀମନ୍ଦିରରେ ୪୦ରୁ ଊର୍ଦ୍ଧ୍ୱ ଚୁଲି ଭଙ୍ଗାରୁଜା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର ଗିରଫ ହୋଇଥିଲେ। ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ନିଦ ଭାଙ୍ଗିଥିଲା। ଶ୍ରୀମନ୍ଦିର ସୁରକ୍ଷା ଏସଓପିକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।