ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି: ଅନେକ ଯବାନଙ୍କ ସମେତ ୩୩ ନିଖୋଜ

ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାରେ ୨୯ ଜୁନରେ ହୋଇଥିବା ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୮୧ ଜଣଙ୍କର ମୃତ୍ୟୁ ହୋଇଛି । ୮୧ ମୃତକଙ୍କ ମଧ୍ୟରେ ଟେରିଟୋରିଆଲ ଆର୍ମିର ୧୮ ଜଣ ଯବାନ ଥିବା ଜଣାପଡିଛି । ମାଟିତଳେ ଆହୁରି ୫୫ ଜଣ ଫସି ରହିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହ କହିଛନ୍ତି ।

ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଆଉ ୨/୩ ଦିନ ଲାଗିବ । ମୁଖ୍ୟମନ୍ତ୍ରୀ ଖୋଦ୍ ମନ୍ତ୍ରୀମାନଙ୍କ ସହ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦-୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ସେ ଏହାକୁ ଇତିହାସର ସବୁଠାରୁ ଯନ୍ତ୍ରଣାଦାୟକ ଦୁର୍ଘଟଣା ବୋଲି କହିଛନ୍ତି ।

ସୂଚନା ଅନୁସାରେ, ବୁଧବାର ରାତିରେ ମଣିପୁରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡିଥିଲା । ମଣିପୁରର ନୋନୀ ଜିଲ୍ଲାର ତୁପୁଲ ଲେୱେ ଷ୍ଟେସନରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଥିରେ ଭାରତୀୟ ଯବାନ ମଧ୍ୟ ଫସି ରହିଥିବା ସୁଚନା ମିଳିଥିଲା । ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଅନେକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ ଅନେକଙ୍କ ଶବ ଜବତ ହୋଇଛି ।