ବର୍ମିଂଘମ,୨/୭ : ବର୍ମିଂଘମର ଏଜବାଷ୍ଟନ ମଇଦାନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ଦମଦାର ବ୍ୟାଟିଂ କରିଛି। ଟେଷ୍ଟର ପ୍ରଥମ ଦିନ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରି ଘରୋଇ ବୋଲରଙ୍କୁ ଘାଇଲା କରିଥିବା ବେଳେ ଦ୍ଵିତୀୟ ଦିନରେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ଅର୍ଜନ କରିଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଜାଡେଜା ୮୩ ରନରେ ଅପରାଜିତ ଥିଲେ। ଆଜି ଦ୍ଵିତୀୟ ଦିନର ପ୍ରଥମ ସେସନରେ ସେ ଶତକ ଅର୍ଜନ କରିଛନ୍ତି।
ଜାଡେଜାଙ୍କ ଟେଷ୍ଟ କ୍ୟାରିୟରର ଏହା ହେଉଛି ତୃତୀୟ ଶତକ। ପ୍ରଥମ ଶତକ ସେ ବିଦେଶ ମାଟିରେ ଅର୍ଜନ କରିଥିଲେ। ଏଜବାଷ୍ଟନ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ୧୯୪ ବଲରୁ ୧୦୪ ରନ କରିଛନ୍ତି। ଏଥିରେ ୧୩ ଚୌକା ସାମିଲ୍। ଦଳ ୯୮ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ଥିବା ସମୟରେ ଜାଡେଜା ଏବଂ ପନ୍ତ ମିଶି ଷଷ୍ଠ ଓ୍ଵିକେଟରେ ୨୨୨ ରନ ଯୋଡିଥିଲେ।
ରବୀନ୍ଦ୍ର ଜାଡେଜା ଟେଷ୍ଟ ବ୍ୟାଟସମ୍ୟାନ ଭାବେ ଗତ ବର୍ଷ ଦୁଇ ବର୍ଷରେ ବହୁତ ଉନ୍ନତି କରିଛନ୍ତି। ସେ ଲଗାତାର ବଡ ଇନିଂସ ଖେଳୁଛନ୍ତି। ଏଥିସହ ଆବଶ୍ୟକ ଅନୁସାରେ ଦ୍ରୁତ ଇନିଂସ ମଧ୍ୟ ଖେଳିଥିବା ଦେଖିବାକୁ ମିଳିଛି। ଏଜବାଷ୍ଟନରେ ଶତକ ଅର୍ଜନ କରି ଏକ ଖାସ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଚାରି ଭାରତୀୟ ଖେଳାଳି ଏହି ମଇଦାନରେ ଶତକ ଅର୍ଜନ କରିଛନ୍ତି ।
ଏଜବାଷ୍ଟନରେ ଶତକ ହାସଲକାରୀ ଭାରତୀୟ ବ୍ୟାଟସମ୍ୟାନ ହେଲେ – ସଚିନ ତେନ୍ଦୁଲକର,ବିରାଟ କୋହଲି,ଋଷଭ ପନ୍ତ,ରବୀନ୍ଦ୍ର ଜାଡେଜା । ସେହିପରି ଟେଷ୍ଟ କ୍ରିକେଟରେ ରବୀନ୍ଦ୍ର ଜାଡେଜାଙ୍କ ଶତକ – ୧୭୫* ବନାମ ଶ୍ରୀଲଙ୍କା, ୨୦୨୨(ମୋହାଲି), ୧୦୪ ବନାମ ଇଂଲଣ୍ଡ, ୨୦୨୨(ବର୍ମିଂହାମ), ୧୦୦* ବନାମ ଓ୍ଵେଷ୍ଟଇଣ୍ଡିଜ, ୨୦୧୮(ରାଜକୋଟ୍) ।