ଭୁବନେଶ୍ୱର,୬/୧୨: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ରାଜନେତାଙ୍କର ଦଳବଦଳ ନୀତି ଆରମ୍ଭ ହେଇଯାଇଛି । ଆଜି ବିଜେଡ଼ିରେ ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ଚକ୍ରଧର ପାଇକ ଶତାଧିକ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ପହଁଚିଥିଲେ । ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ସମୟରେ ସାଂସଦ ଭୂପିନ୍ଦର ସିଂ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଚକ୍ରଧର ଗଜପତି ମୋହନା ବିଧାନସଭା ଆସନରୁ ଦୁଇ ଦୁଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୭୪ରେ ବିଧାୟକ ହୋଇଥିଲେ । ଏହା ପରେ ୨୦୦୯ରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ତେବେ ଟିକେଟ୍ ନ ପାଇବାରୁ ସେ ୨୦୧୪ ନିର୍ବାଚନ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ସେହି ଆସନରୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ପୂର୍ବରୁ ସେ ବିଜୁ ବାବୁଙ୍କ ସହିତ ମିଶି କାମ କରୁଥିଲେ ।