ଦୁଇ ବରିଷ୍ଠ ନେତାଙ୍କୁ ୨ଥର ନିଲମ୍ବିତ କଲା BJD

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଯେଉଁ ନିର୍ବାଚନ ମଣ୍ଡଳୀକୁ ନେଇ ଗଞ୍ଜାମ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି, ସେଇଟା ହେଲା ଦିଗପହଣ୍ଡି । ଦୁଇ ଦିନ ଭିତରେ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଦୁଇଥର ନିଲମ୍ବନ ଏବଂ ଥରେ ପ୍ରତ୍ୟାହାର ନିର୍ଦେଶ, ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ହେବା ପରେ ତାଙ୍କ ଉତ୍ତରାଧିକାରୀ ହେବାକୁ ବିଜେଡ଼ି ଭିତରେ ଯେଉଁ ପ୍ରତିଯୋଗିତା ଚାଲିଛି, ତାହା ଶାସକ ଦଳକୁ ଅଡ଼ୁଆରେ ପକାଇବାରେ ଲାଗିଛି । ବିଶେଷକରି ସୂର୍ଯ୍ୟପାତ୍ରଙ୍କ ପୁତ୍ର ବିପ୍ଳବ ଏବଂ ଦୁଇ ଥର ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ଓ ତିନି ଥରର ଉପାଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଲାଣି । ଗତ କିଛି ମାସ ଭିତରେ ବିପିନ ତାଙ୍କ ରାଜନୈତିକ ଗତିବିଧିକୁ ବଢ଼ାଇ ଦେଇଛନ୍ତି ।

ବିପିନଙ୍କ ଦୃଢ଼ ସମର୍ଥକ ଭାବେ ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରୁଛନ୍ତି ଦୁଇ ବରିଷ୍ଠ ନେତା ହରିବନ୍ଧୁ ରେଡ଼ି ଏବଂ ପ୍ରମୋଦ ପାଣିଗ୍ରାହୀ । ସେମାନେ ଅନେକ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ବିପ୍ଳବ ଗୋଷ୍ଠୀକୁ ବିରୋଧ ମଧ୍ୟ କରିଛନ୍ତି । ଏହା ଭିତରେ ସୋମବାର ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ତରଫରୁ ଏକ ନିଲମ୍ବନ ନିର୍ଦେଶ ଜାରି ହୋଇଥିଲା । ଯେଉଁଥିରେ ଉଭୟ ହରିବନ୍ଧୁ ଏବଂ ପ୍ରମୋଦଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଥିଲା । କାହିଁକି ସେମାନଙ୍କୁ ନିଲମ୍ବନ କରାଯାଇଛି, ତାହାର କାରଣ ମଧ୍ୟ ସ୍ପଷ୍ଟ କରାଯାଇଥିଲା ।

ହରିବନ୍ଧୁ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଥିବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ଲେଖାଥିଲା । ସେହିଭଳି ପ୍ରମୋଦ ଶ୍ରମ କାର୍ଡ କରାଇଦେବା ପାଇଁ ଲୋକମାନଙ୍କ ଠାରୁ ଚାନ୍ଦା ନେଉଥିବା ଏବଂ ଏସଂପର୍କିତ ଏକ ମାମଲାରେ ହାଇକୋର୍ଟରୁ ଜାମିନ୍ରେ ଅଛନ୍ତି । ଏଥିସହିତ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁ ନିଲମ୍ବନ କରାଯାଇଥିବା ଉଲ୍ଲେଖ ରହିଥିଲା । କିନ୍ତୁ ମଙ୍ଗଳବାର ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକଙ୍କ ତରଫରୁ ଆଉ ଏକ ନିର୍ଦେଶ ଜାରି ହୋଇଥିଲା, ଯେଉଁଥିରେ ଉଭୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା ।

ଦୁଇ ଦିନ ଭିତରେ ପ୍ରଥମେ ନିଲମ୍ବନ ଏବଂ ପରେ ପ୍ରତ୍ୟାହାର ନିର୍ଦେଶକୁ ନେଇ ସାରା ଜିଲାରେ ରାଜନୈତିକ ଚର୍ଚ୍ଚା ଦେଖାଦେଇଥିଲା । ଯେଉଁ ଦୁଇ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଦଳରୁ ନିଲମ୍ବନ କରାଯାଇଥିଲା, ହଠାତ୍ ପୁଣି ଥରେ ଦଳ ତାଙ୍କୁ କୋଳାଇ ନେବା ଯୋଗୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।