ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଏହି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସରକାର ଯେଉଁ ସମୟ ଦେଇଛନ୍ତି ତାକୁ ବିଭିନ୍ନ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି । ଏନେଇ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି । ହାଇକୋର୍ଟ ମଧ୍ୟ ସରକାରଙ୍କ ସମୟ ଅବଧି ବୃଦ୍ଧି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।
ଅନ୍ୟପକ୍ଷରେ ହାଇସିକ୍ୟୁରିଟି ନମ୍ବର ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଅର୍ଡର ଅନୁସାରେ ଏହାକୁ ଲାଗୁ କରାଯାଇଛି । ଓଡ଼ିଶା ସରକାର ଏନେଇ କିଛି ନିର୍ଦ୍ଦେଶ ଦେଇନାହାନ୍ତି । ଦେଶର ୨୨ରୁ ୨୬ଟି ରାଜ୍ୟ ଏହି ନିୟମ ଲାଗୁ କରିଛନ୍ତି । ତେବେ ସମୟ ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଆସିଲେ ସମୟରେ ବୃଦ୍ଧି କରାଯିବ ।
ଏହା ସହ ସ୍ଲଟ୍ ବୁକ୍ ପାଇଁ ସ୍ଲଟ୍ ମିଳୁନଥିବା ଅଭିଯୋଗ ଉପରେ ମତ ଦେଇ ଶ୍ରୀ ବୋଥ୍ରା କହିଛନ୍ତି ଯେ, ବୁଧବାର ସୁଦ୍ଧା ୧୯ ଲକ୍ଷ ଲୋକ ବୁକିଂ କରିଛନ୍ତି । ୪୦ ଲକ୍ଷ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିବେ । ଡେଡଲାଇନ ବଢ଼ାଇବା କଥା ଏବେ କହିହେବ ନାହିଁ । ହାଇକୋର୍ଟ ନିର୍ଦ୍ଦେଶ ଦେଲେ ସମୟ ସୀମା ବୃଦ୍ଧି କରାଯିବ । ନମ୍ବର ପ୍ଲେଟର କ୍ୱାଲିଟିକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି କାହାରି କିଛି ଅସୁବିଧା ହେଉଛି ତେବେ ପରିବହନ ବିଭାଗକୁ ଜଣାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।