ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ କ୍ଷୟକ୍ଷତିର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭାଗ ଦ୍ୱାରା କରାଯାଉଥିବା ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ।
ବିଶେଷ ଭାବେ ଆବଶ୍ୟକ ଯନ୍ତ୍ରପାତି ଓ ସାଜସରଂଜାମ ଠୁଳ କରିବା ଏବଂ ମାନବଶକ୍ତି ପରିଚାଳନା କରିବା ଅତ୍ୟନ୍ତ ଜରୁରୀ ଥିବାରୁ ମନ୍ତ୍ରୀ ଶ୍ରୀ ଦେବ ଏହି କାର୍ଯ୍ୟକୁ ଆଗୁଆ ଭାବେ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ । ସତର୍କତାମୂଳକ କାର୍ଯ୍ୟ ଭାବେ ଗଛଡ଼ାଳ କଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ଭାବେ କର୍ମଚାରୀ ମୁତୟନ କରିବାକୁ ସେ କହିଥିଲେ ।
ଶକ୍ତି ବିଭାଗ ଦ୍ୱାରା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ମାର୍ଗଦର୍ଶିକାକୁ ଅନୁସରଣ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ତିନୋଟି ବିଦ୍ୟୁତ ବିତରଣ କମ୍ପାନୀ ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ ବାର୍ତ୍ତାଳାପ କରି ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ବିଭାଗ ତରଫରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ଅନୁପାଳନ କରିବାକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ବାତ୍ୟାରେ ବିଶେଷ କିଛି ହେବାର ଆଶଙ୍କା ନଥିଲେ ହେଁ ଯଦି କୌଣସି ପ୍ରକାର କ୍ଷୟକ୍ଷତି ହୁଏ ତେବେ ବିଭାଗ ତରଫରୁ ତାକୁ ତତକ୍ଷଣାତ୍ ମରାମତି କରାଯାଇ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି ।