ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ଚଳିତ ବର୍ଷ ବନ୍ୟା ଓ ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାର କ୍ଷତିଗ୍ରସ୍ତ ହୋଇଥିବା ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ବଣ୍ଟନ ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି । ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ମାଛ ଜାଅଁଳ ଫାର୍ମର କ୍ଷତି ବାବଦକୁ ମୋଟ ୩୯ ଲକ୍ଷ ୬୫ ହଜାର ୬୯ ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ବନ୍ୟାରେ ମତ୍ସ୍ୟ ପୋଖରୀରେ କ୍ଷତି ବାବଦକୁ ୩ ଲକ୍ଷ ୪୬ ହଜାର ୨୬୦ ଟଙ୍କା ମଞ୍ଜୁର କରାଯାଇ ଥିବାବେଳେ ବନ୍ୟାରେ କ୍ଷତିଗ୍ରସ୍ତ ମାଛଧରା ଡଙ୍ଗା ଓ ଜାଲ ବାବଦକୁ ୩୫ ଲକ୍ଷ ୮୬ ହଜାର ଟଙ୍କା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ଓ ଭୀଷଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ୬୭ଟି ମତ୍ସ୍ୟ ପୋଖରୀ, ୨୧୬୮ଟି କ୍ଷତିଗ୍ରସ୍ତ ମାଛ ଜାଅଁଳ ଫାର୍ମ ଏବଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ୬୬ଟି ମାଛଧରା ଡଙ୍ଗା, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ୨୨୮ଟି ମାଛଧରା ଡଙ୍ଗା, ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ୫୪୫ଟି ମାଛଧରା ଜାଲ ଏବଂ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ୨୮୬ଟି ମାଛଧରା ଜାଲ ବାବଦକୁ ଉପରୋକ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।