ଭୁବନେଶ୍ୱର,୨୦/୧୦ : ଦେଶର ଏକମାତ୍ର ସାଂସଦ ଭାବେ ଅପରାଜିିତା ଷଡ଼ଙ୍ଗୀ ପ୍ରତିଷ୍ଠିତ ‘ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ'(ଆଇପିୟୁ)ର କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଆଜି ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ସମର୍ଥକ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ଏହି ଅବସରରେ ସାଂସଦ ଅପରାଜିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇପିୟୁ କାର୍ଯ୍ୟନିର୍ବାହୀ କମିଟିକୁ ସେ ନିର୍ବାଚିତ ହେବା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ । ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଏହା ଭାରତୀୟଙ୍କ ବିଜୟ ଓ ଓଡ଼ିଶାବାସୀଙ୍କ ଗୌରବ । ଏହା କେବଳ ଆନ୍ତର୍ଜାତିକସ୍ତରରେ ଭାରତର ଛବିକୁ ଆଗକୁ ନେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବପର ହୋଇପାରିଛି । ଏହି ଆନ୍ତର୍ଜାତିକ କମିଟିରେ ଗତ ୨୦ବର୍ଷ ହେଲା ଭାରତର କୌଣସି ପ୍ରତିନିଧିତ୍ୱ ନଥିଲା । ଶେଷଥର ପାଇଁ କମିଟିରେ ଭାରତ ପକ୍ଷରୁ ନଜମା ହେପତୁଲ୍ଲା ପ୍ରତିନିଧିତ୍ୱ କରୁଥିଲେ । ଏହି ସଫଳତା ପାଇଥିବାରୁ ସେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ।