ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପେ୍ଲକ୍ସର ଉଦଘାଟନ କରିଛନ୍ତି । ଏହି ନୂତନ ଚିକିତ୍ସାଳୟ କମ୍ପେ୍ଲକସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି ୟୁନିଟ, କାଜୁଆଲଟି ଓ ଟ୍ରମାକେୟାର, ୫ ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିୟୁ, ରେଡିଓଲୋଜି, ଏମଆରଆଇ ସିଟି ସ୍କାନ ସୁବିଧା, ଉନ୍ନତ ଧରଣର ଓଟି କମ୍ପେ୍ଲକ୍ସ, ୧୫ ଶଯ୍ୟା ବିଶିଷ୍ଟ ଏସଏନସିୟୁ ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି ।
ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଆଧୁନିକ ହସପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜିଲ୍ଲାର ରୋଗୀମନଙ୍କୁ ଆଉ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ୱର ଯିବା ଆବଶ୍ୟକ ନାହିଁ । ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ।
ଡାକ୍ତର ଓ ପାରାମେଡିକସ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତେଣୁ ଆପଣମାନେ ନିଷ୍ଠାର ସହ ରୋଗୀର ସେବା କରନ୍ତୁ । ରୋଗୀର ମୁହଁରେ ହସ ଓ ମନରେ ବିଶ୍ୱାସ ହିଁ ଆପଣମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ଓ ଆମ ପାଇଁ ସନ୍ତୋଷ ଆଣିପାରିବ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ ଯେ କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି ବୋଲି ସେ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ ।
ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲଥ ସେଣ୍ଟରର ଭିତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।