ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର ଆଣ୍ଡାମାନ ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣପୂର୍ବ ଆଣ୍ଡାମାନରେ ସକ୍ରିୟ ରହିଛି । ବାୟୂମଣ୍ଡଳର ୭.୬ କିମି ଯାଏ ବ୍ୟାପିଛି ସୃଷ୍ଟି ଘୂର୍ଣ୍ଣିବଳୟ ।
ଅପରପକ୍ଷେ ରାଜ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ଟଳିଥିବା ବେଳେ ୨୩ରୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପବନ ବହିବା ଆରମ୍ଭ ହୋଇଯିବ । ୨୪ତାରିଖ ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହେବ ଓ କିଛି ଅଞ୍ଚଳରେ ପାଗ ମେଘୁଆ ରହିବ । ୨୬ ତାରିଖ ଯାଏ ଉପକୂଳରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ଘଣ୍ଟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତ କରି ଅଧିକ ଘନୀଭୂତ ହେବ ଓ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖ ବେଳକୁ ଏକ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଦିଗ ବଦଳାଇବା ସହ ଧୀରେ ଧୀରେ ଉତ୍ତରକୁ ଗତି କରି ଅଧିକ ଘନୀଭୂତ ହେବ । ୨୪ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ । ଏହାପରେ ବାତ୍ୟାଟି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ ।
