ସିଡନୀ,୨୨/୧୦ : ଟି-୨୦ ବିଶ୍ଵକପ୍ ସୁପର ୧୨ରେ ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଘରୋଇ ଦଳକୁ ୮୯ ରନରେ ପରାସ୍ତ କରିଛି। ବିଜୟ ସହ କିଓ୍ଵି ଦଳ ନିଜର ଅଭିଯାନ ଆରମ୍ଭ କରିଛି। ଡେଭିନ କନଓ୍ଵେଙ୍କ ଦମଦାର ଅର୍ଦ୍ଧଶତକ ଏବଂ ବୋଲର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କେନଓ୍ଵେଙ୍କ ଅପରାଜିତ ୯୨ ରନ ବଳରେ ୩ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୨୦୦ ରନ କରିଥିଲା। ଓପନର ଫିନ ଆଲେନ ୧୬ ବଲ୍ରୁ ୪୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ଜବାବରେ ଅଷ୍ଟ୍ରେଲିଆ କିଓ୍ଵି ବୋଲରଙ୍କ ମୁକାବିଲା କରିନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭.୧ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଛି। ଲଜ୍ଜାଜନକ ପରାଜୟରୁ ଦଳ ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଏବଂ ମିଚେଲ୍ ସାଣ୍ଟନର ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି।
୨୦୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଟିମ୍ ସାଉଦି ଆରମ୍ଭରୁ ଘରୋଇ ଦଳକୁ ଡବଲ ଝଟକା ଦେଇଥିଲେ। ସେ ଡେଭିଡ୍ ଓ୍ଵାର୍ଣ୍ଣର(୫) ଏବଂ ମିଚେଲ୍ ମାର୍ଶ(୧୬)ଙ୍କୁ ପାଭିଲିୟନ ପଠାଇଥିଲେ। ମିଚେଲ୍ ସାଣ୍ଟନର ମଧ୍ୟକ୍ରମରେ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅଧିନାୟକ ଆରୋନ ଫିଞ୍ଚ ୧୩ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୮ ରନ କରିଥିଲେ ହେଁ ସ୍କୋରକୁ ଆଗକୁ ବଢାଇ ପାରିନଥିଲେ। ନିମ୍ନ କ୍ରମରେ ପାଟ୍ କମିନ୍ସ ୨୧ ରନ କରିବାରୁ ଅଷ୍ଟ୍ରେଲିଆ ୧୦୦ ରନ ଅତିକ୍ରମ କରି ପାରିଥିଲା। ମାର୍କସ ଷ୍ଟୋଇନିସ(୭) ଏବଂ ଟିମ୍ ଡେଭିଡ୍(୧୧) ରନ କରିପାରିଥିଲେ। ଅଷ୍ଟ୍ରେଲିଆ ୧୭.୧ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୬ ରନ ଦେଇ ୩, ମିଚେଲ୍ ସାଣ୍ଟନର ୩୧ ରନ ଦେଇ ୩ ଏବଂ ଟ୍ରେଣ୍ଟ ବୋଲ୍ଟ ୨୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଲୋକି ଫର୍ଗ୍ୟୁସନ ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।