ଖଲ୍ଲିକୋଟ, ୨୮/୧୦: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ସାନଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୫ ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ । ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ । ଫଳରେ ଟ୍ରକ ଡ୍ରାଇଭର ସମେତ ୪ଜଣ ଆହତ ହୋଇଛନ୍ତି ।
ଗୁରୁବାର ରାତି ସାଢ଼େ ୧୨ଟା ସମୟରେ ୫ଜଣ ଯୁବକ ଦୁଇଟି ବାଇକରେ ନିକଟସ୍ଥ କନକା ଗାଁକୁ ଯାତ୍ରା ଦେଖି ଯାଉଥିଲେ । ଏହି ସମୟରେ ସାନଘାଟି ଠାରେ ପଛ ପଟୁ ଆସୁଥିବା ଗୋଟିଏ ଟ୍ରକ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ ।
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରିବା ଲାଗି ଦୃତଗତିରେ ଚାଲିଯିବାକୁ ଉଦ୍ୟମ କରିବା ବେଳେ ଆଗକୁ ଥିବା ବଡ଼ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲା । ଦୀର୍ଘ ୩ଘଣ୍ଟା ଚେଷ୍ଟା ପରେ ଅଗ୍ନିଶମ ବାହିନୀ କ୍ୟାବିନ୍ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେକେସିଜି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।
