ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା:  ସତ୍ୟପାଠ ଦାଖଲ କଲେ ସରକାର

କଟକ : ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାକୁ ନେଇ ଗାଡ଼ିଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ସୋମବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ପୂର୍ବ ଶୁଣାଣି ସମୟରେ ସ୍ଲଟ୍ ବୁକିଂ ତଥା ଆରୋହୀଙ୍କୁ ନମ୍ବର ପ୍ଲେଟ୍ ଲଗାଇବା ନେଇ ସରକାର କ’ଣ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ସେନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ସୋମବାର ପରିବହନ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ, ସରକାର ସ୍ଲଟ୍ ବୁକିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି । ଏପରିକି ଏହି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଥିବା ଅବଧିକୁ ଆହୁରି ୧ ମାସ ବୃଦ୍ଧି କରିଛନ୍ତି । ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ ପରେ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ କରାଯିବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ନମ୍ବରପ୍ଲେଟ୍ ଲଗାଇବା ଲାଗି ସ୍ଲଟ୍ ବୁକିଂ କରିବାରେ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ, ସରକାର ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ଶେଷ ନମ୍ବର ଅନୁଯାୟୀ ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି  । ଶେଷ ଅଙ୍କ ୧, ୨, ୩ ଓ ୪ ପାଇଁ ଶେଷ ତାରିଖ ନଭେମ୍ବର ୩୦ ରଖାଯାଇଥିବାବେଳେ ୫, ୬ ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ରଖାଯାଇଛି । ସେହିପରି ଶେଷ ଅଙ୍କ ୭ ଓ ୮ ପାଇଁ ଜାନୁୟାରୀ ୩୧ ରଖାଯାଇଥିବାବେଳେ ୯ ଏବଂ ୦ ପାଇଁ ଫେବ୍ରୁଆରୀ ୨୮ ଶେଷ ତାରିଖ ରଖାଯାଇଛି ।

SBI_Festive_Digital Billboard