ନୂଆଦିଲ୍ଲୀ: ୨୦୩୫ ସୁଦ୍ଧା ଭାରତ ନିଜର ସ୍ପେଶ୍ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା କରୁଛି । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ ମଧ୍ୟ ଉଦ୍ୟୋଗ ଜଗତ ସାମ୍ନାରେ ଯୋଜନା ଉପସ୍ଥାପନ କରିଛି । ଇସ୍ରୋ କକ୍ଷପଥରେ ଭାରୀ ପୋଲୋଡ଼ କକ୍ଷ ସ୍ଥାପିତ କରିବାକୁ ସକ୍ଷମ ଓ ଏହାକୁ ପୁନଃ ବ୍ୟବହାରଯୋଗ୍ୟ ରକେଟ୍ ତିଆରି ପାଇଁ ଉଦ୍ୟୋଗ ଜଗତ ସମ୍ମୁଖରେ ଏକ ପ୍ରସ୍ତାବ ରଖିଛି । ଏହାଦ୍ୱାରା ଉଦ୍ୟୋଗ ଜଗତ ଇସ୍ରୋର ଏକ ଭଲ ପାର୍ଟନର ହୋଇପାରିବ ।
ଏହିପରି ରକେଟଗୁଡ଼ିକୁ ପରବର୍ତ୍ତୀ ପିଢ଼ୀର ପ୍ରକ୍ଷେପଣ ଯାନ (ଏନଜିଏଲ୍ଭି) କୁହାଯାଇଥାଏ । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ ସ୍ପେସ୍ ଏଜେନ୍ସି ରକେଟର ଡିଜାଇନ୍ ଉପରେ କାମ କରୁଛି ଏବଂ ଶିଳ୍ପ ଏହାର ବିକାଶରେ ସହଭାଗୀ ହେବାକୁ ଆଶା ରଖିଛି । ସୋମନାଥ କହିଛନ୍ତି, ବିକାଶ ପ୍ରକ୍ରିୟାରେ ଶିଳ୍ପକୁ ଆଣିବା ଆମର ପ୍ରୟାସ । ଆମେ ଚାହୁଁ ଶିଳ୍ପ ଆମ ସମସ୍ତଙ୍କ ପାଇଁ ଏହି ରକେଟ୍ ନିର୍ମାଣରେ ବିନିଯୋଗ କରୁ । ସେ କହିଛନ୍ତି ଯେ, ଏହି ରକେଟକୁ ୧୦ ଟନ୍ ପେଲୋଡ୍ ଜିଓଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟ (ଜିଟିଓ) କିମ୍ବା ୨୦ ଟନ୍ ପେଲୋଡ୍ ଲୋ ଆର୍ଥ କକ୍ଷପଥକୁ ନେବାକୁ ଯୋଜନା କରାଯାଇଛି ।
ଇସ୍ରୋର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତ ଏହାର ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା କରୁଥିବାରୁ ଏହି ନୂତନ ରକେଟ୍ ସହାୟକ ହେବ ଏବଂ ଏକ ସମୟରେ ଗଭୀର ସ୍ପେସ୍ ମିଶନ୍, ମାନବ ସ୍ପେସ୍ ଫ୍ଲାଇଟ୍, କାର୍ଗୋ ମିଶନ୍ ଏବଂ ଏକାଧିକ ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ରଖିପାରିବ । ବହୁଳ ଉତ୍ପାଦନ ପାଇଁ ଏନଜିଏଲଭି ଏକ ସରଳ, ମଜବୁତ୍ ମେସିନ୍ ଭାବରେ ଡିଜାଇନ୍ ପ୍ରସ୍ତୁତ କରିଛି । ସୋମନାଥ କହିଛନ୍ତି ଯେ ଧୃବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପିଏସ୍ଏଲଭି) ୧୯୮୦ ଦଶକରେ ବିକଶିତ ଟେକ୍ନୋଲୋଜି ଉପରେ ଆଧାରିତ ଏବଂ ଭବିଷ୍ୟତରେ ରକେଟ୍ ଉତକ୍ଷେପଣରେ ବ୍ୟବହାର କରାଯାଇପାରିବ ନାହିଁ ।
ସ୍ପେସ୍ ଷ୍ଟେସନ୍ ହେଉଛି ଏକ ବୃହତ ମାନବ ନିର୍ମିତ ଯାନ ଯାହା ମହାକାଶରେ ସ୍ଥାୟୀ ଭାବେ ସ୍ଥାପିତ କରାଯାଇଥାଏ । ଏହାଦ୍ୱାରା ସେଠାକୁ ଯାଉଥିବା ମହାକାଶଚାରୀମାନେ ସୁବିଧା ପାଇପାରିବେ । ମହାକାଶରେ ଉପସ୍ଥିତ ଥିବା ଏହି ବୃହତ ମହାକାଶଯାନକୁ ମହାକାଶଚାରୀଙ୍କ ଘର କୁହାଯାଇପାରେ । ଏହା ପୃଥିବୀ ଚାରିପଟେ ଘୂରି ବୁଲୁଛି । ମହାକାଶଚାରୀମାନେ ଯାଇ ଏଠାରେ ରୁହନ୍ତି ଏବଂ ସମସ୍ତ ଅନୁସନ୍ଧାନ ଏଠାରେ କରାଯାଇଥାଏ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଆମେରିକା-ଋଷ ଏବଂ ଚୀନର ଏହି ସୁବିଧା ରହିଛି ।