ଅମୃତସର: ପଞ୍ଜାବର ଅମୃତସରରେ ଶୁକ୍ରବାର ଦିନ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ, ‘ଶିବସେନା ନେତା ସୁଧୀରଙ୍କୁ ଗୁଳି କରାଯାଇଛି । ଘଟଣାର କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ବରିଷ୍ଠ ଅଧିକାରୀମାନେ ଏ ବାବଦରେ ଅଧିକ ସୂଚନା ଦେବେ ।’
ଏହି ଘଟଣା ସହରର ଏକ ମନ୍ଦିର ସମ୍ମୁଖରେ ଘଟିଥିଲା । ମନ୍ଦିର ଆଗରେ ଶିବସେନାର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଭିଡ଼ ଭିତରୁ କେହି ଗୁଳି ଚଳାଇଥିଲା । ଏହା ପରେ ବାୟୁରେ ପନବରେ ଗୁଳି ବିନିମୟ ହୋଇଥିଲା । ସୂଚନାନୁସାରେ, ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି ।
ଏହି ଗୁଳି ବିନିମୟ ପରେ ବିଜେପି ଏବଂ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଜେପି ନେତା ତାଜିନ୍ଦର ସିଂ ବାଗଗା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପଞ୍ଜାବରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏଥି ସହ କଂଗ୍ରେସର ଶ୍ରୀନିବାସ ଟ୍ୱିଟ୍ କରି କହିଛନ୍ତି ଯେ, ‘ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଏପରି ହେଲାଣି । ଦିନ ଦ୍ୱିପହରରେ ଅମୃତସରରେ ଶିବସେନାର ଜଣେ ସ୍ଥାନୀୟ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।’
