କୋହଲିଙ୍କୁ ଆଇସିସିର ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର 

ଦୁବାଇ: ବିରାଟ କୋହଲି ପ୍ରଥମଥର ପାଇଁ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅକ୍ଟୋବର ମାସରେ ବିଭିନ୍ନ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ଆଇସିସି ପକ୍ଷରୁ କୋହଲିଙ୍କ ନାମ ଚୂଡ଼ାନ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ବିଶେଷ ଉତ୍ସାହିତ କରିବା ପାଇଁ ଆଇସିସି ପକ୍ଷରୁ ପ୍ରତି ମାସରେ ଜଣେ ପୁରୁଷ ଓ ମହିଳା ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରି ଆସୁଛନ୍ତି । ଯେଉଁମାନଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିଶ କରାଯାଉଛି ସେମାନଙ୍କୁ ମିଡ଼ିଆ ପ୍ରତିନିଧି, ଆଇସିସି ହଲ ଅଫ୍ ଫେମର୍ସ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଓ ପଞ୍ଜିକୃତ ଖେଳାଳି ମାନେ ଭୋଟ ଜରିଆରେ ପସନ୍ଦ କରିଥାନ୍ତି ।

ତେଣୁ ଅକ୍ଟୋବର ମାସର ଏହି ପୁରସ୍କାର ପାଇଁ କୋହଲିଙ୍କ ସହିତ ଦକ୍ଷିଣ ଆଫ୍ରିକା ଦଳର ଡେଭିଡ ମିଲର ଓ ଜିମ୍ବାୱେ ଦଳର ସିକନ୍ଦର ରାଜାଙ୍କ ନାମ ସୁପାରିସ କରା ଯାଇଥିଲା । ତେବେ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ଅତି ଚମତ୍କାର ପ୍ରଦର୍ଶନ କରି ଆସୁଥିବା କୋହଲିଙ୍କୁ ସମସ୍ତେ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । କାରଣ ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ସୁପର -୧୨ ପର୍ଯ୍ୟାୟ ମ୍ୟାଚରେ ବହୁ ମୂଲ୍ୟବାନ ୫୩ ବଲରୁ ଅପରାଜିତ ୮୨ ରନ ଓ ସିଡନିରେ ଅନୁଷ୍ଠିତ ନେଦରଲାଣ୍ଡସ ବିପକ୍ଷ ମ୍ୟାଚରେ ହାସଲ କରିଥିବା ଲଢ଼ୁଆ ଅର୍ଦ୍ଧଶତକ ଇନିଂସକୁ ବିଚାରକୁ ନେଇ ଏହି ପୁରସ୍କାର ପାଇଁ କୋହଲିଙ୍କୁ ଅଧିକ ସଂଖ୍ୟକ ଭୋଟ ମିଳିଥିଲା ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଏକଦା ୩୧ ରନରେ ଭାରତ ୪ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ କୋହଲି ୮୨ ରନ ଯୋଗ କରିବା ଫଳରେ ଭାରତ ୧୬୦ ରନ ବିଜୟ ଟାର୍ଗେଟକୁ ଅତିକ୍ରମ କରି ପାରିଥିଲା । କୋହଲି କହିଛନ୍ତି ଯେ ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇ ଥିବାରୁ ମୁଁ ଅତି ଆନନ୍ଦ ଅନୁଭବ କରୁଛି ।କାରଣ ଏହା ମୋ ପାଇଁ ବଡ ସମ୍ମାନ । ସେହିପରି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ପାଇଁ ଅନ୍ୟ ଯେଉଁ ଦୁଇ ଜଣଙ୍କ ନାମ ସୁପାରିସ କରା ଯାଇଥିଲା,ସେମାନଙ୍କୁ ସମ୍ମାନ ଜଣାଉଛି । ଏହା ସହିତ ମୋ ଦଳର ସମସ୍ତ ଖେଳାଳି ଓ ଭଲ ଖେଳିବା ପାଇଁ ମୋତେ ସବୁବେଳେ ମାନସିକ ସ୍ତରରେ ସମର୍ଥନ କରି ଆସୁଥିବା ଅନ୍ୟ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ  ।

ଅନ୍ୟ ପକ୍ଷରେ ପାକିସ୍ତାନ ମହିଳା କ୍ରିକେଟ ଦଳର ଅନ୍ୟତମ ସଦସ୍ୟା ତଥା ଭେଟେରାନ ଅଲରାଉଣ୍ଡର ନିଦା ଦାର ମଧ୍ୟ ମହିଳା ବର୍ଗରେ ଅକ୍ଟୋବର ମାସ ପାଇଁ ଏହି ପୁରସ୍କାର ପାଇବା ପାଇଁ ହକଦାର ହୋଇଛନ୍ତି । ଗତ ମାସରେ ଅନୁଷ୍ଠିତ ମହିଳା ଏସିଆ କପରେ ଭଲ ପ୍ରଦର୍ଶନ କରିବା ଫଳରେ ଭାରତୀୟ ଦଳର ଜେମିମା ରୋଦ୍ରିଗ୍ୟୁଜ ଓ ଦୀପ୍ତି ଶର୍ମାଙ୍କାଙ୍କୁ ଅତିକ୍ରମ କରି ଏହି ପୁରସ୍କାର ପାଇଛନ୍ତି । ଏସିଆ କପରେ ଭାରତୀୟ ମହିଳା ଦଳ ଚାମ୍ପିଅନ ହୋଇ ଥିଲେ ହେଁ ଭାରତ ବିପକ୍ଷ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପାକିସ୍ତାନକୁ ବିଜୟୀ କରାଇ ଥିଲେ ।

SBI_Festive_Digital Billboard