ଅଭ୍ୟାସ ବେଳେ ବଲ୍ ଆଘାତରେ ଆହତ ହେଲେ ରୋହିତ ଶର୍ମା

ଆଡିଲେଡ: ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ମେଲବୋର୍ଣ୍ଣରୁ ଯାତ୍ରା କରି ଆଡିଲେଡରେ ପହଞ୍ôଚଛନ୍ତି । ବୁଧବାର ସିଡନିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଖେଳିବାକୁ ଥିବା ବେଳେ ୧୦ ତାରିଖ ଦିନ ଆଡିଲେଡରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ –ଇଂଲଣ୍ଡ ପରସ୍ପରକୁ ଭେଟିବେ । ତେବେ ମଙ୍ଗଳବାର ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଭ୍ୟାସ କରିବା ବେଳେ ତାଙ୍କ ହାତରେ ଆଘାତ ଲାଗି ଥିଲା । ସେ ଏକ ସଟ ବଲକୁ ପୁଲ ସଟ ମାରିବା ପାଇଁ ଛେଷ୍ଟା କରିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ କରି ଥିଲା ।

ମାତ୍ର ଏହା ବିଶେଷ ଗୁରୁତର ନୁହେଁ ବୋଲି ଜଣା ପଡିଛି । କାରଣ ବଲ ଆଘାତ ପରେ ସେହି ସ୍ଥାନରେ ବରଫ ଘସିବା ଦ୍ୱାରା ଯନ୍ତ୍ରଣା କ୍ରମଶଃ ହ୍ରାସ ପାଇ ଥିଲା । ତେଣୁ କିଛି ସମୟ ପାଇଁ ଅଭ୍ୟାସ କରି ନ ଥବା ବେଳେ ପରବର୍ତ୍ତୀ ସମୟରେ ପୁଣି ଦଳର ଥ୍ରୋଡାଉନ ବିଶେଷଜ୍ଞ ଏସ ରଘୁଙ୍କ ତତ୍ତ୍ୱାବଧାନରେ ଦ୍ୱିତୀୟ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରି ଥିବା ଦଳୀୟ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣା ପଡିଛି ।

ତେବେ ଯନ୍ତ୍ରଣା ବିଶେଷ ଗୁରୁତର ନ ଥିବାରୁ ସିଟି ସ୍କାନ କିମ୍ବା ଏକ୍ସରା କରିବା ଆବଶ୍ୟକ ପଡି ନ ଥିଲା । ଦଳର ମେଣ୍ଟାଲ କଣ୍ଡିସନିଂ କୋଚ ପ୍ୟାଡି ଅପଟନ୍ ଆହତ ସମସ୍ୟା ନେଇ ରୋହିତଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ସେହିପରି ଅଭ୍ୟାସ ସମୟରେ କୌଣସି ଡିଫେନସିଂ ସଟ ନ ଖେଳିବା ପାଇଁ ଥ୍ରୋଡାଉନ ବିଶେଷଜ୍ଞ ରୋହିତଙ୍କୁ ପରାମର୍ଶ ଦେଇଥିଲେ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ଖେଳିବା ପାଇଁ ଆହୁରି ଗୋଟିଏ ବିଶ୍ରାମ ଦିନ ଥିବାରୁ ରୋହିତଙ୍କ ଯନ୍ତ୍ରଣା ଉପଶମ ହୋଇ ଯିବ ବୋଲି ଆଶା କରାଯାଏ ।

ସୂଚନା ଯୋଗ୍ୟ ଯେ ରୋହିତ ସବୁବେଳେ ହରିଜଣ୍ଟାଲ ବ୍ୟାଟ୍ ସଟ୍ ଖେଳିବାକୁ ଅଧିକ ପସନ୍ଦ କରନ୍ତି । କାରଣ ପୁଲ ସଟ୍ ଦ୍ୱାରା ସେ ଅଧିକ ରନ ସଂଗ୍ରହ କରିଥାନ୍ତି । ମାତ୍ର ଚଳିତ ଟି-୨୦ ବିଶ୍ୱକପର ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଏହି ପ୍ରକାର ସଟ୍ ମାରିବାକୁ ଚେଷ୍ଟା କରି ଆଉଟ ହୋଇ ଥିବା ବେଳେ ବାଂଲାଦେଶ ବିପକ୍ଷ ସୁପର-୧୨ ମ୍ୟାଚରେ ହରିଜଣ୍ଟାଲ ବ୍ୟାଟ୍ ସଟ ମାରିବା ବେଳେ ତାଙ୍କର କ୍ୟାଚ ଡ୍ରପ ହୋଇ ଥିଲା । ଗତ ବର୍ଷ ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ପ୍ରକାର ସଟ ମାରି ନିଜର ୱିକେଟ ହରାଇଥିଲେ । ତେଣୁ ଅଭ୍ୟାସ ବେଳେ ପୁଲ ସଟ୍ ମାରିବା ପାଇଁ ଏକାଧିକବାର ଉଦ୍ୟମ କରିବା ସହିତ ଆଘାତ ପାଇ ଥିଲେ । ତେବେ ସେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ଖେଳିବା ପାଇଁ ବିଶେଷ ସମସ୍ୟା ନାହିଁ ବୋଲି ଜଣା ପଡିଛି ।

SBI_Festive_Digital Billboard