ସମ୍ପ୍ରତି ସହରଗୁଡିକରେ କୂଅ ପାଣିର ବ୍ୟବହାର ବିଲୁପ୍ତ ହୋଇ ଆସିଲାଣି । କିନ୍ତୁ ଦୁର୍ଗମ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଲୋକମାନେ ରାନ୍ଧିବା, ପିଇବା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କୂଅ ପାଣିର ବହୁଳ ବ୍ୟବହାର କରନ୍ତି । ଧାର୍ମିକ ସ୍ଥାନରେ କୂଅ କିମ୍ବା ପୋଖରୀ ଜଳର ବ୍ୟବହାର ହୋଇଥାଏ । କିନ୍ତୁ ଏପରି ଏକ କୂଅ ଅଛି ଯାହା ସମଗ୍ର ବିଶ୍ୱ ପାଇଁ ରହସ୍ୟମୟ ପାଲଟିଛି । ଏହି କୂଅ ବିହାରର ହାଜିପୁରରେ କବୀର ମଠ ପରିସରରେ ଅବସ୍ଥିତ । ଏହା ୧୬୪୦ ମସିହାରେ ନିର୍ମିତ ହୋଇଥିଲା । ଏହି କୂଅ ୯ ପ୍ରକାରର ସ୍ୱାଦଯୁକ୍ତ ଜଳ ପାଇଁ ପ୍ରସିଦ୍ଧି ଲାଭ କରିଛି ।
ସୂଚନା ଅନୁଯାୟୀ ସମସ୍ତ ନଅ ଗ୍ରହର ଦୋଷ ହଟାଇବା ନିମନ୍ତେ ଏହାର ନାମ ‘ନବଗ୍ରହ କୂଅ’ ରଖାଯାଇଛି । ବିଭିନ୍ନ ରାଜ୍ୟରୁ ଶତାଧିକ ଭକ୍ତ ପ୍ରତିଦିନ ଏଠାକୁ ଆସନ୍ତି । ଗଙ୍ଗା ଏବଂ ଗଣ୍ଡକ ନଦୀର ମିଳନ ସ୍ଥଳରେ ଅବସ୍ଥିତ ଏହି କୂଅ କେବଳ ଭକ୍ତଙ୍କ ପାଇଁ ନୁହେଁ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି । ଏଠାକୁ ଆସୁଥିବା ସମସ୍ତ ଲୋକ ପାଣି ପିଇବା ପରେ ଏହାର ସ୍ୱାଦ ଚାଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନବଗ୍ରହ କୂଅ ଏବଂ ନଦୀ ମଧ୍ୟରେ ଦୂରତା ୧୦୦ ଫୁଟ ରହିଛି । ତଥାପି ଏହାର ଜଳ ସ୍ତର ନଦୀର ଜଳ ସ୍ତରଠାରୁ ସର୍ବଦା ଅଧିକ । ଏହା କାହିଁକି ଘଟେ ତାହା ମଧ୍ୟ ଏକ ରହସ୍ୟ । ବିଶ୍ୱାସ କରାଯାଏ ଯେ ଏହି କୂଅ ଭଗବାନଙ୍କ ପରି ଲୋକଙ୍କ ମନରେ ଶାନ୍ତି ଆଣିଥାଏ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା ଉପରେ ପ୍ରାକୃତିକ ବିପର୍ଯ୍ୟୟର କୌଣସି ପ୍ରଭାବ ପଡେ ନାହିଁ । ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାଯାଏ । ସୋନପୁରରେ ଆୟୋଜିତ ହେଉଥିବା ବିଶ୍ୱପ୍ରସିଦ୍ଧ ପଶୁ ମେଳା ସମୟରେ ଏହାକୁ ଦେଖିବା ପାଇଁ ବହୁ ଜନସମାଗମ ହୁଏ । ଏହି ସମୟରେ ଏହାର ଜଳର ଚାହିଦା ବେଶ୍ ଅଧିକ ରହିଥାଏ । ଗ୍ରହମାନଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଏଠାକୁ ଆସନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କୂଅ ପାଣି ପିଇ ହଜାର ହଜାର ଲୋକ ଗ୍ରହ ଦୋଷରୁ ମୁକ୍ତି ପାଇଛନ୍ତି । ବୈଜ୍ଞାନିକ ମତନୁଯାୟୀ ଏଥିରେ ନଅଟି ଭିନ୍ନ ସ୍ୱାଦର ଜଳ ରହିବାର କାରଣ ହେଉଛି ଏଥିରେ ନଅଟି ବିଭିନ୍ନ ଖଣିଜ ପଦାର୍ଥ ରହିଛି । ସେଥିପାଇଁ ଏହାର ସ୍ୱାଦ ପୃଥକ୍ ପୃଥକ୍ ହୋଇଥାଏ ।
