ଡାକ୍ତରୀ ବିଦ୍ୟାରେ ଚକ୍ଷୁଦାନ, ରକ୍ତ ଦାନ କି ଅଙ୍ଗଦାନ ପରି କଥା ଆମେ ଶୁଣିଛନ୍ତି । ତେବେ ଶିଶୁ ପାଇଁ ଅମୃତସମ ମା’କ୍ଷୀର ଦାନ କରି ତାମିଲନାଡୁ ଅନ୍ତର୍ଗତ କୋଏମ୍ବାଟୁରର ଜଣେ ୨୯ ବର୍ଷୀୟା ଗୃହିଣୀ ରେକର୍ଡ ସୃଷ୍ଟି କରିବା କଥା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ସତ । ନିଜ ଶିଶୁକୁ କ୍ଷୀର ପାନ କରାଇବା ସହ ସିନ୍ଧୁ ମୋନିକା ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଗତ ନଅ ମାସ ଭିତରେ ନିଜଠୁ ଉତ୍ପନ୍ନ ବଳକା କ୍ଷୀରରୁ ୪୨ ଲିଟର ଦାନ କରି ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି ।
ସୂଚନାନୁଯାୟୀ, ମୋନିକା ଜଣେ ଇଞ୍ଜିନିଅରିଂ ଗ୍ରାଜୁଏଟ୍ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ପ୍ରାଧ୍ୟାପକ । ସେମାନଙ୍କର ଏକ ଦେଢ଼ ବର୍ଷର ଝିଅ ରହିଛି । ତେବେ ଜଣେ ନବଜାତକ ପାଇଁ ମାଆ କ୍ଷୀରର ଗୁରୁତ୍ୱ ଅନୁଭବ କରି ମୋନିକା କ୍ଷୀରପାନରୁ ବଞ୍ଚିତ ଶିଶୁଙ୍କ ପାଇଁ କ୍ଷୀରଦାନ କରିବାକୁ ଦୃଢ଼ମନା ହୋଇଥିଲେ । ଗତବର୍ଷ ଜୁଲାଇ ମାସରେ ସେମାନଙ୍କ ଶିଶୁକନ୍ୟାକୁ ୧୦୦ ଦିନ ପୂରଣ ହେଲା ପରଠାରୁ ମୋନିକା କ୍ଷୀରଦାନ କରିବା ଆରମ୍ଭ କରିଥିଲେ । ଏପରି କ୍ଷୀରଦାନ କରିହେବ ବୋଲି ଜାଣିବା ପୂର୍ବରୁ ସେ ତାଙ୍କର ବଳକା କ୍ଷୀରକୁ ସଂଗ୍ରହ କରି ଗଛମୂଳରେ ଢାଳି ଦେଉଥିଲେ ।
ତେବେ ୨୦୨୧ ଜୁଲାଇରୁ ସେ ନିୟମିତ କ୍ଷୀରଦାନ କରି କୋଏମ୍ବାଟୁର ସ୍ଥିତ ସରକାରୀ ଡାକ୍ତରଖାନାର ନବଜାତକ ବିଭାଗକୁ ଗତ ଏପ୍ରିଲ ମାସ ପର୍ଯ୍ୟନ୍ତ ମୋଟ ୪୨ ଲିଟର କ୍ଷୀର ପ୍ରଦାନ କରିଥିବା ଜଣାଯାଇଛି । ଏହି ମହାନ ଗୁଣରେ ରେକର୍ଡ କରିଥିବା ମୋନିକାଙ୍କୁ ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଓ ‘ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ’ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି । ମୋନିକାଙ୍କ ପରି ମାଆମାନଙ୍କର ଏପରି ବିରଳ ପ୍ରୟାସ ଦ୍ୱାରା ଅପରିପକ୍ୱ ନବଜାତକମାନଙ୍କର ମୃତ୍ୟୁହାର ହ୍ରାସ ହୋଇପାରିବ ବୋଲି ଶିଶୁ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି ।
