ଦିଲ୍ଲୀ ଏମସିଡି ନିର୍ବାଚନ ଟିକେଟ୍ ନେଇ ବିଦ୍ୟୁତ୍ ଟାଓ୍ବାର ଉପରେ ଚଢ଼ିଲେ ଆପ୍ ନେତା

ନୂଆଦିଲ୍ଲୀ,୧୪/୧୧ : ଦିଲ୍ଲୀ ପୌର ନିଗମ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ନ ମିଳିବାରୁ ଆପ୍‌ ନେତାଙ୍କ ହାଇଡ୍ରାମା । ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ହଙ୍ଗାମା କରିବା ସହିତ ଦଳକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ହସନ । ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ନାକେଦମ୍‌ ହୋଇଛି । ଜଣେ ପୋଲିସ କର୍ମୀ ଟାୱାର ଉପରେ ଚଢ଼ି ତାଙ୍କୁ ଓହ୍ଲାଇବାକୁ କହୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଖବର ମୁତାବକ, ପୂର୍ବତନ ଆମ୍‌ ଆଦ୍‌ମି ପାର୍ଟି କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ ଏଥର ଏମ୍‌ସିଡି ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ । ଟିକେଟ୍ ପାଇଁ ଚେଷ୍ଟା ବି ଚଳାଇଥିଲେ । ମାତ୍ର ଅନ୍ୟ ଜଣେ ନେତାଙ୍କୁ ଟିକେଟ୍‌ ମିଳିବା ପରେ ସେ ହତାଶ ହୋଇପଡ଼ିଥିଲେ । ଏହାପରେ ମେଟ୍ରୋ ଷ୍ଟେସନସ୍ଥିତ ଶାସ୍ତ୍ରୀ ପାର୍କ ନିକଟରେ ଥିବା ଏକ ବିଦ୍ୟୁତ୍‌ ଟାୱାରରେ ଚଢ଼ିଯାଇଥିଲେ । ଏନେଇ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଣେ ପୋଲିସ କର୍ମୀ ତାଙ୍କୁ ବୁଝାସୁଝା ପରେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ହସନ୍ । ଓହ୍ଲାଇବା ପରେ ହସନ୍‌ ନିଜ ଦଳ ବିରୋଧରେ ଟିପ୍ପଣୀ ଦେଇଥିଲେ । ଦୀପୁ ଚୌଧୁରୀଙ୍କୁ ୩ କୋଟି ଟଙ୍କାରେ ଟିକେଟ୍‌ ବିକ୍ରି କରାଯାଇଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ଟିକେଟ୍ ପାଇଁ ଟଙ୍କା ମଗାଯାଇଥିଲା ହେଲେ ହସନ୍ ଟଙ୍କା ଦେଇନପାରିବାରୁ ଦୀପୁ ଚୌଧୁରୀଙ୍କୁ ଟିକେଟ୍ ବିକ୍ରି କରାଯାଇଛି ବୋଲି ସେ କହିଛନ୍ତି ।

SBI_Festive_Digital Billboard