ନୂଆଦିଲ୍ଲୀ,୧୫/୧୧ : ଗୁଜରାଟ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ୪୦ ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରି କରିଛି। ଏଥିରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପାର୍ଟି ସାଂସଦ ରାହୁଲ ଗାନ୍ଧି, ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଭୂପେଶ ବାଘେଲ, ସଚ୍ଚିନ ପାଇଲଟ, ଜିଗ୍ନେଶ ମେବାଣୀ, କହ୍ନେୟା କୁମାର, ଦିଗବିଜୟ ସିଂହ, କମଲନାଥ, ପ୍ରଦେଶ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଓ ପ୍ରଦେଶ ପ୍ରଭାରୀ ରଘୁ ଶର୍ମାଙ୍କ ନାମ ମଧ୍ୟ ରହିଛି। ଏହାଛଡା ରମେଶ ଚେନ୍ନିଥାଲା, ଭୂପିନ୍ଦର ସିଂହ ହୁଡ୍ଡା, ବି.କେ. ହରିପ୍ରସାଦ, ପବନ ଖେଡା, କାନ୍ତିଲାଲ ଭୂରିଆଆଦିଙ୍କ ନାମ ରହିଛି।
ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଛନ୍ତି। ଖାସ ଏହି କାରଣରୁ ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରିନଥିଲେ। ଏଣୁ ସେଠାରେ ପ୍ରିୟଙ୍କା ଗାନ୍ଧି ପ୍ରଚାର ଅଭିଯାନର ଡୋରୀ ସମ୍ଭାଳି ଥିଲେ। ଗୁଜରାଟରେ ମୋଟ ୧୮୨ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବେଳେ ଏଥିରେ ୮୯ଟି ଆସନ ଲାଗି ଭୋଟ ଗ୍ରହଣ ହେବ। ବଳକା ୯୩ ଟି ଆସନ ନିମନ୍ତେ ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ।
