ବ୍ରହ୍ମଗିରି,୧୫/୧୧ : ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ତଥା ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମା । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ କହିଛନ୍ତି ଯେ ଆମେ ସଂଘର୍ଷ କରୁଛୁ ପୁରୀ ସଦର ପାଇଁ, ଆମେ ସଂଘର୍ଷ କରୁଛୁ କୃଷ୍ଣପ୍ରସାଦ ବ୍ଲକର ବିକାଶ ପାଇଁ, ଏତିକି ବେଳେ କିଛି ବ୍ୟକ୍ତିମାନେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ଆଉ ଆମ ଓଡ଼ିଆ ଜାତିର କିଛି ବିଶ୍ୱାସଘାତକ ସେମାନଙ୍କୁ ସହଯୋଗ କରୁଛନ୍ତି । ତାଙ୍କ ବିରୁଦ୍ଧରେ ଭୁବନେଶ୍ୱରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ପୁରୀ ଦେଇ ଏବେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ପ୍ରବେଶ କଲାଣି । ତେଣୁ ଏଭଳି ଷଡ଼ଯନ୍ତ୍ରକାରୀ ଓ ଲୁଟେରାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସଞ୍ଜୟ ଆହ୍ୱାନ କରିଛନ୍ତି । ଆଉ ସଞ୍ଜୟଙ୍କ ଭଳି ମାପିଚୁପି କଥା କହୁଥିବା ବିଜେଡିର ହେଭିୱେଟଙ୍କ ଏଭଳି ବୟାନ ଏବେ ଉଭୟ ଦଳ ଓ ସରକାରରେ କମ୍ପନ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଦଳର ପଦଯାତ୍ରାରେ ତାଙ୍କ ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ବ୍ରହ୍ମଗିରିବାସୀଙ୍କୁ ଅବଗତ କରିବା ସହ ଏଭଳି ଶକ୍ତିର ମୁକାବିଲା ପାଇଁ ସହଯୋଗ ଲୋଡ଼ିଛନ୍ତି। ଶ୍ରୀ ଦାସବର୍ମା ନିଜ ନିର୍ବାଚନମଣ୍ଡଳୀରେ ନଭେମ୍ବର ୪ରେ ବ୍ରହ୍ମଗିରି , ନଭେମ୍ବର ୧୧ରେ କୃଷ୍ଣପ୍ରସାଦ ଓ ନଭେମ୍ବର ୧୩ତାରିଖରେ ପୁରୀ ସଦର ବ୍ଲକରେ ଦଳର ପଦଯାତ୍ରା ଓ ବିଶାଳ ଜନସଭା କରି ନିଜର ନିରବତା ଭଙ୍ଗ କରିଛନ୍ତି । ସେ ଏହି ସମସ୍ତ ସଭାରେ ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ପ୍ରତି ରହିଥିବା ଆଶୀର୍ବାଦ ଓ ବିକାଶମୂଳକ କାର୍ଯ୍ୟକୁ ପ୍ରଂଶସା କରିବା ସହ ବିଜେଡିକୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ କରିଥିବାବେଳେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।
ସଞ୍ଜୟ ଜନସମାବେଶରେ ବ୍ରହ୍ମଗିରି ସହ ପରୋକ୍ଷରେ ତାଙ୍କ ବିରୋଧରେ ଚାଲୁଥିବା ଷଡଯନ୍ତ୍ର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀ ଓ ତାଙ୍କ ସମର୍ଥକଙ୍କ ଆହ୍ହାନ ଦେଇଥିବା ଚର୍ଚ୍ଚା ହେଉଛି । ସଞ୍ଜୟ କହିଛନ୍ତି, ‘ କିଛି ବିଦେଶୀ ଶକ୍ତି ଓଡିଶାର ଖଣିଜ ସମ୍ପଦ, ଓଡି଼ଶାର ପ୍ରାଚୁର୍ୟ୍ୟ, ଓଡିଶାର ରତ୍ନଭଣ୍ଡାରକୁ ଭାବୁଛନ୍ତି ଲୁଣ୍ଠନ କରି ପଲାଇବେ । କହିଛନ୍ତି ଦିନେ ବ୍ରିଟିଶ ସରକାରକୁ ଏଇ ଜାତିର କିଛି ଲୋକ ନିଶାର୍ଦ୍ଦ ରାତିରେ ଓଡିଶାର ଶେଷ ସ୍ବାଧୀନ ଦୁର୍ଗ ଦଖଲ କରିବା ପାଇଁ ବାଟ ଦେଖାଇ ଦେଇଥିଲେ, ଆଜି ମଧ୍ୟ ଓଡିଶାରେ ସେହି ଭଳି ଶକ୍ତି ସକ୍ରିୟ ଅଛନ୍ତି । ଏହିଭଳି ଶକ୍ତିକୁ ପରାହତ କରିବା ସହ ବ୍ରହ୍ମଗିରିର ସ୍ବାଭିମାନକୁ ପୁନଃପ୍ରତିଷ୍ଠା କରିବାକୁ କର୍ମୀ ସମାବେଶରେ ଆହ୍ବାନ ଦେଇଛନ୍ତି ସଞ୍ଜୟ ଦାସବର୍ମା । ସିଧାସଳଖ ଦଳ କିମ୍ବା କାହାର ନାଁ ନନେଇ ସଞ୍ଜୟ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି ଏବେ ପରିସ୍ଥିତି ବଦଳିଛି ।
ସେଥିପାଇଁ ନିଜ ସମର୍ଥକ ମାନଙ୍କୁ ସତର୍କ ରହିବାକୁ ସଞ୍ଜୟ କହିଛନ୍ତି । ସଞ୍ଜୟ କହିଛନ୍ତି ‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ କିନ୍ତୁ ସେ ବ୍ୟତିକ୍ରମ । ସଞ୍ଜୟ ଆନ୍ଦୋଳନତ୍ମକ ଢଙ୍ଗରେ କହିଛନ୍ତି ‘ମୁଁ କହିବାକୁ ଚାହେଁ ଓଡିଶାର ଅଣକଂଗ୍ରେସ ଯୁବ ଆନ୍ଦୋଳନରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯେଉଁ ସ୍ବାଭିମାନୀ ଓଡିଶାର ଗଠନରେ ଆମେ ଯେଉଁମାନେ ବ୍ରତୀ ହୋଇଥିଲୁ, ଆମେ ମରିଯିବୁ ସିନା ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସାଇ ଦିଆଯିବ ନାହିଁ । ଏହା ସହ ବ୍ରହ୍ମଗିରିର ବିକାଶ ପାଇଁ ସଙ୍କଳ୍ପ ନେବାକୁ ସଞ୍ଜୟ ଆହ୍ବାନ ଦେଇଛନ୍ତି ।
