ଭୁବନେଶ୍ବର : ଅର୍ଚ୍ଚନାଙ୍କ ଦାମିକିଆ କାର୍ ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା । ଅଚ୍ଚର୍ନାଙ୍କୁ କିଏ ଗିଫ୍ଟ କରିଥିଲା ଏହି ଦାମୀ ଏଣ୍ଡେଭର କାର ? ଏହି ଗାଡ଼ିରେ ବସି ଅର୍ଚ୍ଚନା ତାଙ୍କ କଳା ସାମ୍ରାଜ୍ୟ ଚଳାଇଥିଲେ। ଏହି କାର ଭିତରେ ହିଁ ହୋଇଥିଲା ଅନେକ ଡିଲ୍। ଯାହାର ସାକ୍ଷୀ ଥିଲା ସେହି ଦାମୀ କାର। ସେହି କାରକୁ ଏବେ ଖୋଜିବା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କ ଏହି କାରକୁ ଲୁଚାଇ ଥିବ, ତାଙ୍କ ବିରୋଧରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି। ଏହି ଦାମୀ କାର୍ ରାଜ୍ୟର କେଉଁ କେଉଁ ସ୍ଥାନକୁ ଯାଇଛି ତାହାର ସବିଶେଷ ତଥ୍ୟ ପାଇଁ ଇଡି ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି।
ଅର୍ଚ୍ଚନା ନାଗ ମାମଲାରେ ଇଡିର ରିମାଣ୍ଡରେ ଥିବା ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ଆଜି ୭ ଦିନରେ ପହଞ୍ଚିଛି। ଏହାରି ମଧ୍ୟରେ ଖଗେଶ୍ବରକୁ ମାରାଥନ ଜେରା କରି ଅନେକ ତଥ୍ୟ ପାଇଛି ଇଡି। ଖଗେଶ୍ବର ଅର୍ଚ୍ଚନାଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେବା ପରେ ଏବେ ଇଡି ଅର୍ଚ୍ଚନା ନାଗଙ୍କ ଏକ ନିର୍ଦିଷ୍ଟ ଦାମୀ କାର ଉପରେ ନଜର ପକାଇଛି। ଆଜି ଇଡିର ଦୁଇଟି ଭିନ୍ନ ଭିନ୍ନ ଟିମ୍ ଅର୍ଚ୍ଚନାଙ୍କ ନାଗଙ୍କ ସତ୍ୟବିହାର ଘର, ସୁପ୍ରିମ କାର ବଜାର, ପଳାସୁଣୀରେ ଥିବା ଏକ ଆପାର୍ଟମେଣ୍ଟରେ ଏକା ସାଙ୍ଗରେ ଚଢ଼ଉ କରିଛି। କିନ୍ତୁ କେଉଁଠୁ ବି ଅଚ୍ଚର୍ନାଙ୍କ ଦାମୀ କାରର ପତ୍ତା ପାଇନାହିଁ ଇଡି। ବିଶେଷକରି ଅର୍ଚ୍ଚନା ଚଢ଼ୁଥିବା ଏଣ୍ଡେଭର କାରର। କାରଣ ଏହି କାରକୁ ଜଣେ ବିଧାୟକ ଉପହାର ଦେଇଥିବା ଇଡି ଜାଣିବାକୁ ପାଇଛି। ତେଣୁ ବିଧାୟକଙ୍କ ବିରୋଧରେ ଶକ୍ତ ପ୍ରମାଣ ପାଇବା ପାଇଁ ଏବେ ଇଡି ସେହି କାରକୁ ଖୋଜିବା ଆରମ୍ଭ କରିଛି। ବିଧାୟକ ନିଜେ ଏହି କାର କିଣି ଅର୍ଚ୍ଚନାଙ୍କୁ ଦେଇଥିଲେ ନା, ବିଧାୟକଙ୍କ ନିର୍ଦେଶରେ ଆଉ କେହି କାରଟିକୁ ଅର୍ଚ୍ଚନାଙ୍କୁ ଦେଇଥିଲେ ତାର ଭିତିରି ଅନୁସନ୍ଧାନ ଚଳାଇଛି ଇଡି। ଏଥିପାଇଁ ଇଡ଼ି ଗତ ଦୁଇ ଦିନ ହେବ ଜୋରଦାର ପ୍ରୟାସ ଚଳାଇଛି।
