ଆପଣ ବି ଚୁଟି ଷ୍ଟ୍ରେଟ୍ କରୁଥିଲେ ସାବଧାନ! ହୋଇପାରେ କ୍ୟାନ୍ସର 

ଯୁବତୀ ଓ ମହିଳାମାନେ ଚୁଟି ଷ୍ଟ୍ରେଟ୍ କରିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହେଲାଣି । ଛୋଟରୁ ବଡ, ଚୁଟି ଷ୍ଟ୍ରେଟ୍ କରିବା ସମସ୍ତଙ୍କ ପାଲଟିଗଲାଣି ସଉକ । ଘରେ ଘରେ କିଏ ନା କିଏ ନିଜ ଚୁଟି ସିଧା କରିବା ସହ ନୂଆ ଲୁକ୍ ଦେଉଛନ୍ତି । କହିବାକୁ ଗଲେ, ଷ୍ଟ୍ରେଟ୍ ଚୁଟି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ । ସେଥିପାଇଁ ତ ଏହା ପଛରେ ଯୁବପୀଢି ପାଗଳ ।  ଆପଣ ବି ଚୁଟି ଷ୍ଟ୍ରେଟ୍ କରୁଛନ୍ତି କି, ତେବେ ସାବଧାନ । ଏହାଦ୍ୱାରା ଆପଣଙ୍କୁ ହୋଇପାରେ କ୍ୟାନସର ।

ପରମାନେଣ୍ଟ ହେୟାର ଷ୍ଟ୍ରେଟନିଙ୍ଗ ଅର୍ଥାତ୍ ସ୍ଥାୟୀ ଭାବରେ ଚୁଟି ସିଧା କରିବା ଆପଣଙ୍କୁ ଷ୍ଟାଇଲିସ ଲାଗିପାରେ ତେବେ ବାରମ୍ବାର ଏହା କରିବା ଦ୍ୱାରା ଚୁଟିକୁ କ୍ଷତି ମଧ୍ୟ ପହଁଚିଥାଏ । ଏପରିକି ଚୁଟି ଷ୍ଟ୍ରେଟ୍ କରିବା ବେଳେ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହାଦ୍ୱାରା କ୍ୟାନସର ଆଶଙ୍କା ବଢିଥାଏ ।

 

ଏକ ଗବେଷଣାରୁ ଆମେରିକାର ବୈଜ୍ଞାନିକ ଦାବି କରିଛନ୍ତି ଯେ, ଚୁଟି ସିଧା କରିବାକୁ ବ୍ୟବହାର ହେଉଥିବା ରସାୟନ ପଦାର୍ଥ ଗର୍ଭାଶୟ କ୍ୟାନସର ଆଶଙ୍କାକୁ ବଢାଇଦିଏ । ବିଶ୍ୱରେ ପ୍ରତିବର୍ଷ ୫ ଲକ୍ଷ ମହିଳା ଗର୍ଭାଶୟ କ୍ୟାନସରରେ ପୀଡିତ ହୁଅନ୍ତି । ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୮୫ ପ୍ରତିଶତ ମହିଳାଙ୍କଠାରେ ଗର୍ଭାଶୟ କ୍ୟାନସରର ବିପଦ ରହିଛି । ଭାରତରେ ୩୦ରୁ ୫୯ ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ୩୬ ପ୍ରତିଶତଙ୍କ ଠାରେ ଏହି ବିପଦ ରହିଛି ।

 

ଗର୍ଭାଶୟ କ୍ୟାନସର ହେଲେ ମହିଳାଙ୍କ ପେଟରେ ପୀଡା, ପରିଶ୍ରାରେ ପୋଡାଜଳା, ଭୋକ ନଲାଗିବା, ଅନିୟମିତ ଋତୁସ୍ରାବ ଏବଂ ଓଜନ ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଦେଇଥାଏ । ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଆମେରିକାର ୩୩ ହଜାର ମହିଳାଙ୍କ ଉପରେ ୧୦ ବର୍ଷ ଧରି ନଜର ରଖାଯାଇଥିଲା । ଷ୍ଟଡିରେ ୩୫ରୁ ୭୪ ବର୍ଷିୟ ମହିଳାଙ୍କୁ ସାମିଲ କରାଯାଇଥିଲା ।

 

ଗବେଷଣାରୁ ଜଣାପଡିଥିଲା ଯେ, ବର୍ଷକୁ ୪ ଥରରୁ ଅଧିକ ଚୁଟି ଷ୍ଟ୍ରେଟ୍ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କ୍ୟାନସରର ହାର ୪.୦୫ପ୍ରତିଶତ । ଅନ୍ୟ ମହିଳାଙ୍କ କ୍ଷେତ୍ରରେ ଏହା ୧.୬୪ପ୍ରତିଶତ । ଗବେଷଣା ଅନୁସାରେ, ହେୟାର ଷ୍ଟ୍ରେଟନିଙ୍ଗ କ୍ରିମରେ ଥିବା କେମିକାଲ ମସ୍ତିଷ୍କ ମାଧ୍ୟମରେ ରକ୍ତରେ ମିଶି ଗର୍ଭାଶୟକୁ ଯାଇଥାଏ । ଯାହା ପରବର୍ତ୍ତୀ ସମୟରେ ଗର୍ଭାଶୟ କ୍ୟାନସର କରାଇଥାଏ ।

SBI_Festive_Digital Billboard