ଯାଜପୁର,୨୧/୧୧ : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହେବାରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଯାତ୍ରୀ ବିଶ୍ରାମାଗାରମ ଭିତରକୁ ପଶି ଯାଇଥିଲା। ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ, ମାଲବାହୀ ଟ୍ରେନ୍ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍ରେ କୋରେଇ ଷ୍ଟେସନରେ ପଶିଥିଲା। ଟ୍ରେନ୍ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା। ଏହାପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଲାଇନ୍ଚ୍ୟୁତ ହୋଇ ଯାଇଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।
ଉକ୍ତ ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍ଟି ମାଡ଼ି ଆସିବା ଦେଖି ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମହିଳା ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସେମାନଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
