ଆଜିଠୁ ବିଧାନସଭା ଶୀତ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ପୋଲିସ ଡିଜି

ଭୁବନେଶ୍ୱର: ଗୁରୁବାର ଅର୍ଥାତ୍ ଆଜିଠାରୁ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ଓ ଅପରାହ୍ଣ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ଚାଲୁ ରହିବ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାକୁ ଥିବାବେଳେ ଡିସେମ୍ବର ୨ରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର ସମ୍ଭାବନା ରହିଛି ।

ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା, ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କୁ ବୀମା ଓ ଇନ୍ପୁଟ୍ ସହାୟତା, ନାରୀ ନିର୍ଯାତନା, ଦରଦାମ୍ ବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବିରୋଧୀ ଘେରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଅଧିବେଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୩ ସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ୨ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସେହିପରି ୫ ଜଣ ଅତିରିକ୍ତ ଡିସିପି, ୧୧ ଏସିପି ଓ ଡିଏସପି, ୧୩ ଆଇଆଇସି, ୬୨ ଜଣ ଏସ୍ଆଇ ଓ ଏଏସ୍ଆଇ ସୁରକ୍ଷା ଦାୟିତ୍ୱରେ ରହିବେ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

SBI_Festive_Digital Billboard