ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଆତ୍ମହତ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ତରରେ ରଣନୀତି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ‘ଜାତୀୟ ଆତ୍ମହତ୍ୟା ରୋକିବା ରଣନୀତି’ ପ୍ରକାଶ କରିଛି । ୨୦୩୦ ସୁଦ୍ଧା ଆତ୍ମହତ୍ୟା ଯୋଗୁଁ ମୃତ୍ୟୁ ହାରକୁ ୧୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ସମୟ ସୀମା ବିଶିଷ୍ଟ କାର୍ଯ୍ୟ ଯୋଜନା ଏବଂ ବହୁ-କ୍ଷେତ୍ରୀୟ ସହଯୋଗ ବୃଦ୍ଧି କରାଯିବ । ଆତ୍ମହତ୍ୟା ରୋକିବା ପାଇଁ ଜିଲ୍ଲା ସ୍ତରରେ ମନସ୍ତତ୍ତ୍ୱବିତ୍ ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ତିନି ବର୍ଷ ମଧ୍ୟରେ ପ୍ରଭାବଶାଳୀ ମନିଟରିଂ କୌଶଳ ଲାଗୁ ହେବ ।
ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମହତ୍ୟା ହ୍ରାସ କରିବା ନେଇ ସେବା ଆରମ୍ଭ କରାଯିବ । ଡାକ୍ତରଖାନାଗୁଡ଼ିକରେ ଆୟୁର୍ବେଦିକ ବିଭାଗ ପ୍ରତିଷ୍ଠା କରାଯିବ । ଜାତୀୟ ଆତ୍ମହତ୍ୟା ରୋକିବା ରଣନୀତିରେ ମାନସିକ ସୁସ୍ଥତାକୁ ଏକୀଭୂତ କରିବା ପାଇଁ ପ୍ରୟାସ କରାଯାଇଛି । ଆଗାମୀ ୮ବର୍ଷରେ ସମସ୍ତ ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ରୋକିବା ସମ୍ବନ୍ଧୀୟ ଏକ ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ । ଆତ୍ମହତ୍ୟାର ଦାୟିତ୍ୱପ୍ରାପ୍ତ ଗଣମାଧ୍ୟମ ରିପୋର୍ଟ ଏବଂ ଆତ୍ମହତ୍ୟାର ମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ । ଆତ୍ମହତ୍ୟାକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିବ ।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯିଏକି ଆତ୍ମହତ୍ୟା ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ୨୦୨୨ ସେପ୍ଟେମ୍ବର ୯ରେ ଘୋଷଣା କରିଥିଲା । ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଦିନ ୪୫୦ଜଣ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଦେଶରେ ବର୍ଷକୁ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ହୋଇଥାଏ ବୋଲି ଏଥିରେ ପ୍ରକାଶ ପାଇବା ସହ ୨୦୨୧ରେ ଦେଶରେ ୧.୬୪ ଲକ୍ଷ ଲୋକ ଆତ୍ମହତ୍ୟା କରିଥିଲେ । ପ୍ରତି ଘଣ୍ଟାରେ ୧୮ଜଣ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଥିବା ଜଣାଯାଇଛି ।
