କଣ୍ଟାବାଞ୍ଜି: ପୁଣି ତେଜିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏବଂ ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ମନ୍ଦ ପାଳନ କରାଯିବ। ଏଥିଲାଗି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଛକମାନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇଛନ୍ତି।
ଏହି ବନ୍ଦର ପ୍ରଭାବରେ ଟିଟିଲାଗଡ଼ରେ ଦୋକାନବଜାର ମନ୍ଦ ରହିଛି। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଆଜି ଏଠାକାର ସମସ୍ତ ସ୍କୁଲ କଲେଜ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି। ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଗତ ୩୦ ବର୍ଷ ଧରି ଦାବି ହୋଇ ଆସୁଛି ।
ତେବେ ଆସନ୍ତା ମାସ ୫ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଦାବି କରାଯାଇଥିଲା । ଏହାପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଅନୁରୂପ ଭାବେ ରାଜ୍ୟର ଅନ୍ୟ କିଛି ଅଞ୍ଚଳର ବାସିନ୍ଦା ମଧ୍ୟ ନୂଆ ଜିଲ୍ଲା ପାଇଁ ଦାବି କରିଥିଲେ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ରାୟଗଡ଼ ଜିଲ୍ଲା ଗୁଣୁପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ନେଇ ପୂର୍ବରୁ ଦାବି ହୋଇ ଆସୁଛି ।
