ନୂଆଦିଲ୍ଲୀ,୨୫/୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହତ୍ୟା କରାଯାଇପାରେ। ଏହା କହିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କହିଛନ୍ତି, ଏମସିଡି ଏବଂ ଗୁଜରାଟରେ ପରାଜୟ ଭୟରେ ବିଜେପି ଷଡଯନ୍ତ୍ର ରଚୁଛି। ଆଉ ଦିଲ୍ଲୀରେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଷଡଯନ୍ତ୍ର ରଚୁଥିବା ସିସୋଦିଆ କହିଛନ୍ତି। ତିଓ୍ଵାରୀଙ୍କୁ ଗିରଫ କରିବା ଦାବି କରି ସେ ନିର୍ବାଚନ ଆୟୋଗ ଏବଂ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ଶୁକ୍ରବାର ସକାଳେ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆ କହିଛନ୍ତି, ବିଜେପି କେଜ୍ରିଓ୍ଵାଲଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। କୌଣସି ଉଦ୍ୟମ ସଫଳ ନହେବାରୁ ମନୋଜ ତିଓ୍ଵାରୀ କେଜ୍ରିଓ୍ଵାଲଙ୍କୁ ଧମକ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଜେପି କେଜ୍ରିଓ୍ଵାଲଙ୍କ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଛି। ଏହାକୁ ନେଇ ଆମେ ନିର୍ବାଚନ କମିସନଙ୍କ ନିକଟକୁ ଯିବୁ। ଏଫଆଇଆର ବି ଦେବୁ। ମନୋଜ ତିଓ୍ଵାରୀଙ୍କୁ ଗିରଫ କରିବାକୁ ଦାବି କରିବୁ। ଆଜି କେଜ୍ରିଓ୍ଵାଲ ଦେଶରେ ବହୁତ ଲୋକପ୍ରିୟ ନେତା। ଏଥିପାଇଁ ବିଜେପି ଅତି ତଳକୁ ଖସି ହୀନ ରାଜନୀତି କରିବା ସହ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଥିବା ସିସୋଦିଆ କହିଛନ୍ତି।
