ଭୁବନେଶ୍ୱର,୨୮/୧୧ : ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠାରୁ ୪ ଦିନ ଧରି ମାରାଥନ୍ ପ୍ରଚାର କରିବେ। ଆଜି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ପଦ୍ମପୁରରେ ହେବାକୁ ଥିବା ବିଭିନ୍ନ ସାଧାରଣ ସଭା ଓ ରୋଡ୍ ଶୋ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂ ତୋମର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପରେ ଧର୍ମେନ୍ଦ୍ର ଆସନ୍ତାକାଲିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ।
ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୯,୩୦ ଓ ୧ତାରିଖ ୩ଦିନ ଧରି ପାଇକମାଳ ଓ ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ’ କରିବେ । ୩ ତାରିଖରେ ଝାରବନ୍ଧ ବ୍ଲକରେ ବିଶାଳ ଜନସଭା ଏବଂ ପଦ୍ମପୁରରେ ବାକି ଥିବା ଅଂଚଳରେ ରୋଡ୍ ଶୋ’ କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ସହ ଭାବ ବିନିୟମ ଓ ବାର୍ତ୍ତାଳାପ ମଧ୍ୟ କରିବେ । ପ୍ରଦୀପ ପୁରୋହିତ ସ୍ଥାନୀୟ ନେତା ଓ ତାଙ୍କର ଲୋକପ୍ରିୟତା ରହିଛି, ତେଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି ସେ ଦାବି କରିଛନ୍ତି ।