ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ୨୮/୧୧: ରାଜ୍ୟରେ ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ସୁପ୍ରିମ୍‌କୋର୍ଟର ଆଇନଜୀବୀ ନିରଞ୍ଜନ ସାହୁ କହିଛନ୍ତି, ଆନ୍ଦୋଳନ ବନ୍ଦ କରିବାକୁ କହିବା ସତ୍ତ୍ୱେ ବିଭିନ୍ନ ଜିଲ୍ଲାରେ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଇନଜୀବୀମାନେ କୋର୍ଟ ଘେରାଉ, କୋର୍ଟ ଆଗରେ ଧାରଣା, ଜଜ୍‌ଙ୍କୁ ରୋକିବା, ଲୋକଙ୍କ ପ୍ରବେଶକୁ ବିରୋଧ ପ୍ରଭୃତି କରୁଥିବା ଜଣାପଡ଼ିଛି। ତେଣୁ ଏଭଳି ଆନ୍ଦୋଳନ ଜାରି ରଖିଥିବା ଓକିଲଙ୍କ ଓକିଲାତିନାମା ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ଏହି ଓକିଲମାନେ କାମରେ ଯୋଗ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ ହେବ। କାମରେ ଯୋଗଦେବା ପରେ ସେମାନଙ୍କ ଓକିଲାତି ନାମା ଲାଇସେନ୍ସ ସସ୍‌ପେଣ୍ଡ ଉପରେ ଲାଗିଥିବା ନିର୍ଦ୍ଦେଶ ଉଠିଯିବ।