ଆପଲ ନିର୍ମିତ ଆଇଫୋନ ଅନେକ ଉନ୍ନତ ଫିଚର ସହିତ ବଜାରକୁ ଆସିଥାଏ । ଅନେକ ଥର ଫୋନର ମୂଲ୍ୟ ହେତୁ କମ୍ପାନୀକୁ ଟ୍ରୋଲ କରାଯାଇଥାଏ । କିନ୍ତୁ ପ୍ରିମିୟମ ଫିଲ ଓ କମ୍ପାନି ଭ୍ୟାଲୁ ହେତୁ ଆଇଫୋନର ବିକ୍ରି ଅଧିକ ରହିଛି । ନିକଟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି କି ୧୨ମାସ ପର୍ଯ୍ୟନ୍ତ ସମୁଦ୍ରରେ ହଜିଯାଇଥିବା ଏକ ଆଇଫୋନ ମିଳିଛି, ଯାହାକି ଏବେ ବି କାମ କରୁଛି । ଏହି କଥାକୁ ଅନେକ ବିଶ୍ୱାସ କରିବାକୁ ରାଜି ନାହାନ୍ତି । ଏହା ଅସମ୍ଭବ ବୋଲି ଯୁକ୍ତି ବାଢ଼ୁଛନ୍ତି ।
କୁହାଯାଉଛି କି, ଆଇଫୋନ ୱାଟର ରେଜିଷ୍ଟାଣ୍ଟ୍ ରେଟିଙ୍ଗ ସହିତ ଆସିଥାଏ । କିନ୍ତୁ ଏହାର ବି ଏକ ସୀମା ରହିଥାଏ । ଅଧିକ ଗଭୀର ପାଣି କି ପାଣିରେ ବେଶୀ ସମୟ ପଡ଼ି ରହିଲେ, ଏହା ଆଉ କାମ କରେ ନାହିଁ । ତେବେ ନିକଟରେ ଆସିଥିବା ଖବର ଅନୁଯାୟୀ, ଏକବର୍ଷ ହେବ ସମୁଦ୍ର ପାଣିରେ ଆଇଫୋନ ପଡ଼ି ରହିବା ପରେ ବି ସୁରକ୍ଷିତ ଅଛି । ଜଣେ ବ୍ରିଟିଶ ମହିଳାଙ୍କ ଆଇଫୋନ ୮ପ୍ଲସ ଏକବର୍ଷ ପୂର୍ବେ ସମୁଦ୍ରରେ ହଜି ଯାଇଥିଲା ।
ନିକଟରେ ବ୍ରେଡଲି ନାମକ ଜଣେ ବ୍ୟକ୍ତି ମହିଳାଙ୍କ ହଜିଯାଇଥିବା ଆଇଫୋନକୁ ସମୁଦ୍ରରୁ ପାଇଥିଲେ । ଆଉ ତାଙ୍କୁ ଖବର ଦେଇଥିଲେ । ଯେତେବେଳେ ବ୍ରିଟିଶ ମହିଳା ଜଣକ ତାଙ୍କର ଏହି ଫୋନକୁ ପାଇଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏକ ବର୍ଷ ସମୁଦ୍ର ପାଣିରେ ରହିବା ପରେ ବି ତାଙ୍କ ଆଇଫୋନ ୮ପ୍ଲସ କାମ କରୁଛି । କିନ୍ତୁ ଫୋନର ପଛପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଫୋନଟି ଅନ୍ ହେବା ସହିତ ପୂର୍ବଭଳି କାମ ବି କରୁଛି । ଜାତୀୟ ଗଣମାଧ୍ୟମ ‘ଆଜତକ୍’ରେ ପ୍ରକାଶିତ ଏହି ଖବରକୁ ଅନେକ ପାଠକ ଫେକ୍ ନ୍ୟୁଜ ବୋଲି କହିଛନ୍ତି ।