ମହାକାଳପଡ଼ା,୨୮/୧୧ : ପଲ୍ଲୀ ଅଂଚଳର ଜନତାଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଳୀ ନେଇ ପ୍ରଶାସନିକ ଅଧିକାରୀମାନେ ପଲ୍ଲୀରେ ପହଂଚି ଅଭିଯୋଗ ଗ୍ରହଣ କରି ଆଶୁ ସମାଧାନର ବାଟ ଖୋଜୁଛନ୍ତି l ସୋମବାର ଦିନ ମହାକାଳପଡ଼ା ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ପ୍ରାଣୀ ସମ୍ପଦ, ରାଜସ୍ବ, ଶିଶୁ ସମ୍ମନ୍ୱିତ ଓ ମହିଳା ବିକାଶ ଓ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମଙ୍ଗଳପୁର ପଂଚାୟତ କାର୍ଯ୍ୟାଳୟ ଠାରେ “ପଲ୍ଲୀରେ ପ୍ରଶାସନ” ରେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ପଂଚାୟତର ସରପଞ୍ଚ ମଞ୍ଜୁଲତା ସାମନ୍ତରାୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷା କଳ୍ପନା ରାଉତ, ଉପାଧ୍ୟକ୍ଷ ବିଜୟ ଶୁକ୍ଲା, ବହୁ ଅନୁଭୂତି ସମ୍ପନ୍ନ ସ୍ଥାନୀୟ ପଂଚାୟତର ସମିତି ସଭ୍ୟ ରଞ୍ଜନ ଚୌଧୁରୀ, ଏବିଡ଼ିଓ କିରଣ କୁମାର ସାମଲ ଉପସ୍ଥିତ ଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମୁର୍ମୁ, ଗ୍ରାମ ରୋଜଗାର ସେବକ ଗୌତମ ସ୍ୱାଇଁ, ପଂଚାୟତର ପୂର୍ବତନ ସରପଞ୍ଚ ବାଦଲ ସାମନ୍ତରାୟ, ପ୍ରକାଶ ବେହେରା, ପ୍ରଶାନ୍ତ ମହାପାତ୍ର ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା ଆଦି ଉପସ୍ଥିତ ଥିଲେ l ଉଦଘାଟନ ପରେ ପରେ ପଂଚାୟତର ୧୨ ଗୋଟି ୱାର୍ଡରୁ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତତା ନେଇ ୩୬୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ମୁଖ୍ୟତଃ ଗ୍ରାମୀଣ ଗୃହ ନିର୍ମାଣ, ରାସନ କାର୍ଡ ନେଇ ଅଧିକ ଅଭିଯୋଗ ରହିଥିବାର ଜଣାପଡିଛି l ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁର୍ମୁ ଓ ସରପଞ୍ଚ ଶ୍ରୀମତୀ ସାମନ୍ତରାୟ ପ୍ରଶାସନ ସହଯୋଗ ମତେ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି l ଆଉ ସମିତି ସଭ୍ୟ ଶ୍ରୀଯୁକ୍ତ ଚୌଧୁରୀ ଫାଇବ ଟି ସରକାରଙ୍କ ଏହି ପ୍ରୟାସ କୁ ସ୍ୱାଗତ କରିଥିବା ବେଳେ ପ୍ରଶାସନ ଅଭିଯୋଗ ଗୁଡିକୁ କାଗଜ ରେ ସୀମିତ ନରଖି ସମାଧାନ ପାଇଁ ଉଦ୍ୟମ କରିବା କଥା ବୋଲି ଗଣମାଧ୍ୟମକୁ କହିଛନ୍ତି l