ଟ୍ୟୁସନରୁ ଫେରୁଥିବା କଲେଜ ଛାତ୍ରୀଙ୍କୁ ଅଶ୍ଲୀଳ ବ୍ୟବହାର: ପ୍ରତିବାଦ କରିବାରୁ ଛାତ୍ରୀଙ୍କ ବାପା-ମାଆଙ୍କୁ ଆକ୍ରମଣ ଅଭିଯୋଗ
ନିମାପଡ଼ା : ଟ୍ୟୁସନରୁ ଫେରୁଥିବା ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିବାକୁ ନେଇ ଛାତ୍ରୀର ବାପା-ମାଆଙ୍କ ଉପରେ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମହିଳା ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ କଲେଜକୁ ଯିବା ସମୟରେ ଛତାହାର ଗ୍ରାମର ଅନୀଲ ସ୍ୱାଇଁ ନାମକ ଜଣେ ଯୁବକ ଝିଅକୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଟଣା ଓଟରା କରିଥିବା ନେଇ ଗତ ୮ ଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା ବେଳେ ଥାନାରେ ଏହାର ସମାଧାନ କରାଯାଇ ଆଉ ଏଭଳି କାର୍ଯ୍ୟ ନ କରିବାକୁ ଅନୀଲ ଥାନାରେ ଲିଖିତ ଭାବେ ଜଣାଇଥିଲେ ।
ତେବେ ଗତକାଲି ଛାତ୍ରୀ ଜଣକ ମଧ୍ୟାହ୍ନ ୧୨ଟାରେ ଟ୍ୟୁସନରୁ ଫେରୁଥିବା ବେଳେ ଅନୀଲ ପୁନର୍ବାର ଯୁବତୀଙ୍କୁ ବାଟରେ ଓଗାଳି ଅଶ୍ଲୀଳ ବ୍ୟବହାର କରିଥିଲା । ଏହି ଘଟଣା ଛାତ୍ରୀ ଜଣକ ଘରେ କହିବାରେ ଯୁବତୀଙ୍କ ମାଆ ଓ ବାପା ଅନୀଲଙ୍କ ଘରକୁ ଯାଇ ପଚାରିବାରେ ସେଠାରେ ଅନୀଲ, ତାଙ୍କ ଭାଇ ସୁନୀଲ ଓ ବାପା ପୂର୍ଣ୍ଣଚନ୍ଦ୍ର ମିଳିତ ଭାବେ ଛାତ୍ରୀଙ୍କ ବାପାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ ।
ସ୍ୱାମୀଙ୍କୁ ରକ୍ଷା କରିବାକୁ ଯିବାରୁ ଆସାମୀମାନେ ଛାତ୍ରୀଙ୍କ ମାଆଙ୍କୁ ଉଲ୍ଲଂଘନ କରି ତଳେ ପକାଇ ମାଡ଼ ମାରିବା ସହ ଦୁର୍ବବ୍ୟହାର କରିଥିଲେ । ପାଟିଶୁଣି ଲୋକମାନେ ପହଂଚିବାରେ ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଆସାମୀମାନେ ଚାଲି ଯାଇଥିଲେ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ପକ୍ଷରୁ ଥାନାରେ ଆଜି ୩୮୪/୨୨ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।