ଭୁବନେଶ୍ବର,୨୯/୧୧: ରାଜ୍ୟର ‘ମିଶନ ଶକ୍ତି’ ମା’ମାନଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା । ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ ମାନେ ଏସ୍ଏଚଜିରୁ ଏସ୍ଏମ୍ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା’ ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ ।
ଓଡ଼ିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାଦ୍ବାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ।