ବିହାର ମଦ ମୃତ୍ୟୁ ମାମଲା: ତଦନ୍ତ କରିବ ମାନବାଧିକାର କମିଶନ

ପାଟନା: ବିହାର ମଦମୃତ୍ୟୁ ମାମଲାରେ ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ କିଛି ଅସୁସ୍ଥ ପ୍ରାଣ ହରାଉଥିବା ଜଣାଯାଇଛି । ବିହାରରେ ମଦମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କ ବୟାନ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି ।

ତେବେ ଏହି ମଦମୃତ୍ୟୁର ତଦନ୍ତ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ ପ୍ରତ୍ୟକ୍ଷ ଭାବେ ଏକ ଦଳକୁ ଘଟଣାସ୍ଥଳକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଆୟୋଗ କହିଛନ୍ତି ଯେ, ଅଧିକାଂଶ ପୀଡିତ ଲୋକ ଗରିବ ପରିବାରର ଅଟନ୍ତି । ସେମାନଙ୍କ ପାଇଁ ଘରୋଇ ଡାକ୍ତରଖାନାରେ ବ୍ୟୟବହୁଳ ଚିକିତ୍ସା ସମ୍ଭବ ନୁହେଁ । ଆୟୋଗ କହିଛନ୍ତି, ପୀଡ଼ିତଙ୍କୁ ରାଜ୍ୟ ସରକାର ଯଥା ସମ୍ଭବ ଚିକିତ୍ସା ଯୋଗାଇଦେବା ଉଚିତ୍ ।

ଅନ୍ୟପଟେ ବିହାରରେ ବିଷାକ୍ତ ମଦମୃତ୍ୟୁକୁ ନେଇ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ପ୍ରେସ୍ କନ୍ଫରେନ୍ସ କରି ନୀତିଶ୍ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ନୀତିଶ୍ ଜଣେ ନିର୍ଦ୍ଦୟୀ ଓ ଅସେମ୍ବଦନଶୀଳ ବ୍ୟକ୍ତି । ସେ ଦାବି କରିଛନ୍ତି ଯେ ବିହାରରେ ବିଷାକ୍ତ ମଦମୃତ୍ୟୁ ମାମଲା ୧୦୦ ଟପିଲାଣି । କିନ୍ତୁ ନୀତିଶ୍ କୁମାରଙ୍କ ସରକାର ଏହି ସଂଖ୍ୟା ଲୁଚାଉଛି । ପୋଲିସ ଡରରେ ଲୋକମାନେ ପୋଷ୍ଟମର୍ଟମ ବିନା ନିଜ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର କରିଦେଉଛନ୍ତି ବୋଲି ସୁଶୀଲ ମୋଦୀ ଏହି ଅବସରରେ କହିଛନ୍ତି ।