ଫଟୋ ଉଠାଉଥିବାବେଳେ ବରଫ ହ୍ରଦରେ ବୁଡ଼ିଗଲେ ଭାରତୀୟ ଦମ୍ପତି, କୂଳରେ ଛିଡ଼ା ହୋଇଥିଲେ ଦୁଇ ଝିଅ

ନ୍ୟୁୟର୍କ : ଆମେରିକାରେ ହୋଇଥିବା ଭୀଷଣ ହୀମଝଡ଼ ଯୋଗୁଁ ମୃତ୍ୟୁସଂଖ୍ୟା ୬୦ ଟପିଯାଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛି । ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଏକ ଜମିଯାଇଥିବା ହ୍ରଦରେ ବୁଡ଼ି ଏକ ଭାରତୀୟ ଦମ୍ପତି ଓ ଆଉ ଜଣେ ଭାରତୀୟ ପ୍ରାଣ ହରାଇଛନ୍ତି । ଏହା ଫଳରେ ସେମାନଙ୍କ ଦୁଇ ଶିଶୁ ଅନାଥ ହୋଇଯାଇଛନ୍ତି ।

ଘଟଣାଟି ଘଟିଛି ବଡ଼ଦିନ ପର ଦିନ ଅର୍ଥାତ ଡିସେମ୍ବର ୨୬ ତାରିଖ ଅପରାହ୍ନ ୩:୩୫ ରେ କୋକୋନିନୋ କାଉଣ୍ଟିର ଉଡ୍ସ ଭ୍ୟାଲି ହ୍ରଦରେ ଏହି ଦୁର୍ଘଟଣା ଘଟିଥିଲା। କୋକୋନିନୋ କାଉଣ୍ଟି ଶେରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ବିବୃତ୍ତିରେ କୁହାଯାଇଛି ଯେ ହ୍ରଦରେ ପଡ଼ି ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ନାମ ୪୯ ବର୍ଷୀୟ ନାରାୟଣ ମୁଦାନା, ତାଙ୍କ ପତ୍ନୀ ହରିତା ମୁଦାନା ଓ ସେମାନଙ୍କ ବନ୍ଧୁ ୪୭ ବର୍ଷୀୟ ଗୋକୁଲ ମେଡିସେଟି । ଏହି ତିନିଜଣ ଆରିଜୋନାରେ ହିଁ ରହୁଥିଲେ ।

୨୬ ତାରିଖ ଦିନ ସେମାନେ ନିଜର ଦୁଇ ଝିଅଙ୍କ ସେମାନେ ଉକ୍ତ ହ୍ରଦ ନିକଟକୁ ଯାଇଥିଲେ । ଫଟୋ ଉଠାଇବାକୁ ସେମାନେ ଜମିଯାଇଥିବା ହ୍ରଦ ଉପରେ ବୁଲୁଥିବାବେଳେ ହଠାତ୍ ହ୍ରଦର ବରଫ ଆବରଣ ଫାଟିଯିବାରୁ ସେମାନେ ବୁଡ଼ିଯାଇଥିଲେ । ଖବର ପାଇଁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ଏବେ ସେମାନଙ୍କ ଦୁଇ ଝିଅ- ଜଣକ ବୟସ ମାତ୍ର ୭ ବର୍ଷ ଓ ଅନ୍ୟ ଜଣକ ବୟସ ୧୨ ବର୍ଷ କୁ ପ୍ରଶାସନ ନିଜ ହେପାଜତରେ ରଖିଛି ।