ଭୁବନେଶ୍ୱର,୨/୧: ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କିନ୍ତୁ ସେମାନଙ୍କର କାର୍ଯ୍ୟକୁ ଆହୁରି ଭଲ ଭାବେ ନିର୍ବାହ କରିବାକୁ ଏଣିକି ଧାର୍ୟ୍ୟଲକ୍ଷ୍ୟ ନେଇ ଅଧିକାରୀମାନେ କାର୍ଯ୍ୟ କରିବାକୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି । ବର୍ଷର ପ୍ରଥମ କାର୍ଯ୍ୟ ଦିବସରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗ ପରିଦର୍ଶନ କରିଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ ଏବଂ ସଚିବ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗସମ୍ମିଳନୀ କକ୍ଷରେ ଏହି ଅବସରରେ ଆୟୋଜିତ ସଭାରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଯୋଗଦେଇ ବିଭାଗର ଅଧିକାରୀମାନଙ୍କୁ କହିଲେ ଯେ, ଜିଲ୍ଲାରେ ରାଜ୍ୟ ସରକାରଙ୍କର ବହୁ ଭଲ ଭଲ କାମ କରାଯାଉଛି । ଜିଲାସ୍ତରରେ କାର୍ୟ୍ୟ କରୁଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଜିଲାପାଳ ତଥା ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ଭଲ ସଫଳ କାହାଣୀ ବିଭାଗକୁ ପଠାନ୍ତୁ; ଯଦ୍ବାରା ଏହା ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁରେ ପ୍ରକାଶନ ହୋଇପାରିବ । ସେହିପରି ରାଜ୍ୟସ୍ତରରେ କାର୍ଯ୍ୟରତ ସୂଚନା ଅଧିକାରୀମାନେ ସେମାନଙ୍କୁ କାର୍ଯ୍ୟନ୍ୟସ୍ତ କରାଯାଇଥିବା ବିଭାଗରୁ ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ସଫଳ କାହାଣୀ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପ୍ରେରଣ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ବିଭାଗର ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇବା ସହିତ ଇତି ମଧ୍ୟରେ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଓ କ୍ୟାଡର ପୁନର୍ଗଠନ ହୋଇଥିବା ପ୍ରକାଶ କରିଥିଲେ। ବୈଠକରେ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ ଏବଂ ବିଶ୍ୱଜିତ ଦାଶଙ୍କ ସମେତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଉପ ନିର୍ଦ୍ଦେଶକ, ବିଭିନ୍ନ ଶାଖାର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।