ଭୁବନେଶ୍ୱର: ଦୀର୍ଘ ଦେଢବର୍ଷର ବ୍ୟବଧାନ ପରେ କରୋନା ସଂକ୍ରମଣ ନେଇ ସତର୍କ କରାଇଛନ୍ତି ରାଜ୍ୟ ସରକାର । ଚୀନରେ ଓମିକ୍ରୋନର ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚାଇଥିବାବେଳେ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ ଏହି ଲହର ଆସିବା ନେଇ ଆକଳନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି ।
ଡାକ୍ତର ମହାନ୍ତି କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଚୀନ୍ରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ ପଜିଟିଭ କେସ୍ ଚିହ୍ନଟ ହୋଇଛି । ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨ଟି କେସ୍ ପଜିଟିଭ ଚିହ୍ନଟ ହୋଇଛି । ସର୍ଭେ ଅନୁଯାୟୀ ଚୀନରେ ଏଯାବତ୍ ପିକ୍ ଆସିନାହିଁ । ଜାନୁଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ଚୀନରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଦୈନିକ ୭ରୁ ୧୦ଲକ୍ଷ ଲୋକ ସଂକ୍ରମିତ ହେବେ । ଏହି ସମୟରେ ଚୀନରେ ଦୈନିକ ୨୫ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ । ସେହି ହିସାବରେ ଭାରତରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆସିବା ନେଇ ଅନୁମାନ କରାଯାଉଛି । ତେଣୁ ସତର୍କତା ଅବଲମ୍ବନ କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାବେଳେ ମାସ୍କ ପରିଧାନ କରିବାକୁ ଡାକ୍ତର ମହାନ୍ତି ପରାମର୍ଶ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ୯୦ ପ୍ରତିଶତ ଲୋକ ଡବଲ ଡୋଜ୍ ଟିକା ନେଇ ସାରିଛନ୍ତି । ୪୦ ପ୍ରତିଶତ ବୁଷ୍ଟର ଡୋଜ୍ ନେଇଛନ୍ତି । ଯେଉଁମାନେ ଡବଲ ଡୋଜ୍ ନେଇ ସାରିଥିବେ ସେମାନେ ନାଜାଲ ଭାକ୍ସିନ ନେଇପାରିବେ । ତେବେ ଯେଉଁମାନେ ତିନୋଟିଯାକ ଡୋଜ୍ ନେଇଛନ୍ତି, ସେମାନେ ନାଜାଲ ଡୋଜ୍ ନେଇପାରିବେ ନାହିଁ ବୋଲି କୁହାଯାଇଛି । ଆସନ୍ନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ।
ଚୀନ୍, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପଜିଟିଭ ରିପୋର୍ଟ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୃଥକାବାସରେ ରହିବାର ବ୍ୟବସ୍ଥା ହୋଇଛି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ରାଉରକେଲା ଆଦି ସ୍ଥାନରେ କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି । ଚୀନର କୋଭିଡ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ ମୁକାବିଲା ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେଣୁ ରାଜ୍ୟବାସୀ ଆଗାମୀ ଦିନରେ ଯଥେଷ୍ଟ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।