ନୂଆଦିଲ୍ଲୀ,୮/୧ : ଶୀତ ଲହରୀ ଯୋଗୁଁ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ଭିତରେ ଦିଲ୍ଲୀ ସରକାର ସବୁ ଘରୋଇ ସ୍କୁଲକୁ ଜାନୁଆରୀ ୧୫ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୀଷଣ ଥଣ୍ଡା ଏବଂ ଶୀତ ଲହରକୁ ନଜରରେ ରଖି ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ସୂଚନା ଅନୁସାରେ, ଦିଲ୍ଲୀର ଘରୋଇ ସ୍କୁଲ ଆସନ୍ତାକାଲିଠାରୁ ଖୋଲିଥାନ୍ତା । ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଜାନୁଆରୀ ୧୫ ଯାଏ ସ୍କୁଲ ବନ୍ଦ ରହିବ । ଅର୍ଥାତ ଏବେ ପିଲାମାନଙ୍କୁ ଆହୁରି ୭ ଦିନ ଅଧିକ ଛୁଟି ମିଳିବ । ଦିଲ୍ଲୀ ସରକାର ସବୁ ସରକାରୀ ସ୍କୁଲ ଗୁଡିକ ପୂର୍ବରୁ ଜାନୁଆରୀ ୧୨ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସରକାରୀ ସ୍କୁଲ ଗୁଡିକରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇ ନାହିଁ । ସେମାନଙ୍କୁ ରେମେଡିୟଲ କ୍ଲାସ ଦିଆଯାଉଛି । ରେମେଡିୟଲ କ୍ଲାସ ଗୋଟିଏ ପ୍ରକାର ଏକଷ୍ଟ୍ରା କ୍ଲାସ । ନବମରୁ ଦ୍ୱାଦଶ ପିଲାଙ୍କ ବୋର୍ଡ ପରୀକ୍ଷା ଥିବାରୁ ସେମାନଙ୍କୁ ରେମେଡିୟଲ କ୍ଲାସ ଦିଆଯାଉଛି ।