୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ ରୁହ: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC

ଭୁବନେଶ୍ୱର:  ଗତ ୨ ଦିନ ହେବ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଥିବା ବେଳେ ରାତିର ତାପମାତ୍ରାରେ ବୃଦ୍ଧି ଘଟୁଛି । ଏପରିକି ତାପମାତ୍ରା ୨ରୁ୫ ଡିଗ୍ରୀ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୬ ଜିଲ୍ଲାରେ ଶୁକ୍ରବାର ସକାଳୁ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି ।

ଏହି ୬ଟି ଜିଲ୍ଲା ହେଲା ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର ଓ ଖୋର୍ଦ୍ଧା । କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଶୀତ କମିଥିଲେ ମଧ୍ୟ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟକ୍ତ କରି ପକାଉଛି । ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଗୁରୁବାର ସକାଳେ ୧୦ ମିଟର ରହିଥିବା ରେକର୍ଡ କରାଯାଇଛି । ଭାରତର ମଧ୍ୟଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି । ଫଳରେ ଓଡ଼ିଶାକୁ ଯଥେଷ୍ଟ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ତେଣୁ ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହେଉଛି ।

ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପ୍ରଭାବ ହ୍ରାସ ପାଇଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିଲା । ସକାଳ ଓ ସନ୍ଧ୍ୟା ସମୟରେ ଘରୁ ବାହାରିବା କାଠିକର ପାଠ ହେଉଥିଲା । ଏବେ ଶୀତର ପ୍ରକୋପ କମିଥିବା ବେଳେ ଆଗକୁ ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।