ଶଶୀ ଥରୁର୍‌ଙ୍କ ୨୦୨୪ ନିର୍ବାଚନ ଭବିଷ୍ୟବାଣୀ : ୫୦ ଆସନ ହରାଇବ ବିଜେପି !

ନୂଆଦିଲ୍ଲୀ,୧୪/୧ : ୨୦୨୪ ନିର୍ବାଚନରେ ୨୦୧୯ ନିର୍ବାଚନ ବିଜୟ ଫଳାଫଳ ଭଳି ହାସଲ କରିବା ‘ବିଜେପି’ ପକ୍ଷେ ଅସମ୍ଭବ ହେବ ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଶାସକ ‘ବିଜେପି’ ୫୦ଟି ଆସନ ହରାଇପାରେ ବୋଲି ଆକଳନ କରାଯାଉଥିବା କଥା ମଧ୍ୟ ଥରୁର୍‌ କହିଛନ୍ତି।

‘କେରଳ ସାହିତ୍ୟ ଉତ୍ସବ’ରେ ‘ଇଣ୍ଡିଆ ଆଟ୍‌ ୭୫ ଏ ୱାକ୍‌ ଥ୍ରୋ ଦି ଡେମୋକ୍ରାଟିକ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ ଶୀର୍ଷକ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ତିରୁବନନ୍ତପୁରମ୍‌ ସାଂସଦ ତଥା କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ, ସେ ‘ବିଜେପି’ର ପ୍ରାଧାନ୍ୟକୁ ସ୍ବୀକାର କରୁଛନ୍ତି ସତ, କିନ୍ତୁ ଏ କଥା ବି ସତ ଯେ, ଅନେକ ରାଜ୍ୟରେ ‘ବିଜେପି’ ହାରୁ ଥିବାରୁ ସାଧାରଣ ନିର୍ବାଚନରେ ହାରିଯିବା ଅସମ୍ଭବ ନୁହେଁ।

୨୦୧୯ରେ ‘ବିଜେପି’ର ସଫଳତା ତର୍ଜମା କଲେ ଜଣାପଡ଼େ ସେମାନେ ହରିୟାଣା, ଗୁଜରାଟ, ରାଜସ୍ଥାନରେ ପ୍ରାୟ ସମସ୍ତ ଆସନ ଏବଂ ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ଊଣାଅଧିକେ ଅଧିକାଂଶ ଆସନ ଏବଂ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ସଂଗଠିତ ‘ପୁଲ୍‌ୱାମା’ ଆକ୍ରମଣ ଓ ‘ବାଲାକୋଟ୍‌ ଷ୍ଟ୍ରାଇକ୍‌’ ଯେଭଳି ଚହଳ ପକାଇଥିଲା ୨୦୨୪ରେ ‘ବିଜେପି’ ସପକ୍ଷରେ ସେଭଳି କୌଣସି ଘଟଣା ନାହିଁ। ତେଣୁ, ‘ବିଜେପି’ ହାତରୁ ୫୦ଟି ଆସନ ବିରୋଧୀମାନଙ୍କୁ ହାତକୁ ଚାଲିଯାଇପାରେ ବୋଲି ଥରୁର୍‌ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସମୁଦାୟ ୫୪୩ ଆସନରୁ ‘ବିଜେପି’ ୩୦୩ଟି ଆସନରେ ବିଜୟ ହାସଲ କରିଥିବା ବ‌େଳେ କଂଗ୍ରେସ ମାତ୍ର ୫୨ଟି ଆସନ ପାଇଥିଲା।