କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧୫/୧: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ମିଳିଛି। ଗଡ଼କରୀଙ୍କ ନାଗପୁର ଅଫିସକୁ ଆଜି ସକାଳୁ ୨ଥର ଫୋନ୍‌ କଲ୍‌ ଆସିଛି। ପୂର୍ବାହ୍ନ ୧୧:୩୦ରୁ ୧୧.୪୦ ମଧ୍ୟ‌ରେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସ ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇ ଥର କଲ୍‌ କରି ଜଣେ ଅଜଣା ବ୍ୟକ୍ତି ଟଙ୍କା ଦାବି କରିଛି ଏବଂ ଟଙ୍କା ନଦେଲେ ଗଡ଼କରୀଙ୍କୁ ହତ୍ୟା କରିବ ବୋ‌ଲି ଧମକ ଦେଇଛି।

ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଅଫିସ ଉଡ଼ାଇ ଦେବାକୁ ଧମକ ଦେଇଛି। କଲ୍‌ କରିଥିବା ବ୍ୟକ୍ତି ଦାଉଦର ନାମ ମଧ୍ୟ ନେଇଛି। ସଡ଼କ ପରିବହନ ମନ୍ତ୍ରୀଙ୍କ ଘର ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ନାଗପୁର ଅଫିସ ପକ୍ଷରୁ ଏନେଇ ପୁଲିସରେ ଏତଲା ରୁଜୁ ହୋଇଛି। ପୁଲିସ ଏବେ ଏହି ଘଟଣା‌ରେ ତଦନ୍ତ ଆରମ୍ଭ କରିଛି ଏବଂ ମନ୍ତ୍ରୀଙ୍କ ଅଫିସ୍‌ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛି। ହତ୍ୟା ଧମକ ମିଳିବାପରେ ଗଡ଼କରୀଙ୍କ ଅଫିସ ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।