ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

ମସ୍କୋ : ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ ।ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ଚଳିତ ସପ୍ତାହରେ ଏଠାରେ ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ମସ୍କୋଠାରୁ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରର । ଦିନକୁ ଦିନ ଏଠାରେ ତାପମାତ୍ରା କମି କମି ଯାଉଥିବା କହିଛନ୍ତି ଲୋକେ । ଏଠାରେ ବିନା ଫ୍ରିଜରରେ ହିଁ ମାଛ ବିକ୍ରି ହେଉଛି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରସ୍ତ ପରସ୍ତ ଗରମ ପୋଷାକ ପିନ୍ଧିବା ପାଇଁ ପଡ଼ୁଛି । ଟୋପି ଉପରେ ଟୋପି, ଗ୍ଲୋବସ୍ ଉପରେ ଗ୍ଲୋବସ୍ ପିନ୍ଧୁଛନ୍ତି ଲୋକେ ।ଏଠାକାର ଲୋକ ଏପରି ପାଣିପାଗ ସହ ଅଭ୍ୟସ୍ତ ଥିଲେ ସୁଦ୍ଧା କେତେକ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି । କାରଣ ଜାନୁଆରୀ ଓ ଫେବୃଆରୀ ମାସ ସେଠାରେ ସବୁଠାରୁ ଥଣ୍ଡା ମାସ ।