ରକ୍ଷାବନ୍ଧନର ୮ ଦିନ ପରେ ପାଳିତ ହୁଏ ଜନ୍ମାଷ୍ଟମୀ। କୃଷ୍ଣଙ୍କ ଜନ୍ମଲାଗି ସମସ୍ତେ ଉପବାସ ଓ ବ୍ରତ ପାଳନ କରନ୍ତି। ରାଧାକୃଷ୍ଣଙ୍କ ସମ୍ପର୍କିତ କଥା ଓ ଗାଥାରେ ଭାରତୀୟ ଓ ବିଶେଷ କରି ହିନ୍ଦୁ ଧର୍ମାଲମ୍ବୀଙ୍କ ମଧ୍ୟରେ ବେଶ ଋଚି ଥାଏ। ଏମିତିରେ ବି ଶ୍ରୀକୃଷ୍ଣ ଓ ରାଧରାଣୀଙ୍କ ପ୍ରେମ କାହାଣୀ ଶହଶହ ବର୍ଷରୁ ଲୋକଙ୍କୁ ଅଭିଭୂତ କରିରଖିଛି। ତେବେ ଆସନ୍ତୁ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ସମ୍ପର୍କିତ କିଛି ଅଲୌକି ଘଟଣାବଳୀ ଉପରେ ଆଲୋଚନା କରିବା।
ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ବୟସରେ ବହୁତ ଅନ୍ତର ଥିଲା। ରାଧାଙ୍କ ଠାରୁ ବୟସରେ ସାନ ଥିଲେ ଶ୍ରୀକୃଷ୍ଣ। ବୟସଗତ ଅନ୍ତର ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଖୁବ୍ ପ୍ରେମ ଥିଲା। ହୁଏତ ଭଗବାନ କୃଷ୍ଣଙ୍କ ସହ ରାଧାଙ୍କ ବିବାହ ହୋଇ ନାହିଁ, ହେଲେ ରାଧାକୃଷ୍ଣଙ୍କ ପ୍ରେମକୁ ସର୍ବୋଚ୍ଚସ୍ଥାନ ମିଳିଛି। ରାଧା ଶ୍ରୀକୃଷ୍ଣଙ୍କ ଠାରୁ ପ୍ରାୟ ୩ବର୍ଷ ୧୧ ମାସ ବଡ ଥିଲେ। କୁହାଯାଏ ଯେତେବେଳେ ଶ୍ରୀକୃଷ୍ଣ ରାସଲିଳା ରଚିଥିଲେ ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୭ ବର୍ଷ। କାରଣ ୧୧ ବର୍ଷ ବୟସରେ କୃଷ୍ଣ ବୃନ୍ଦାବନ ଛାଡିଥିଲେ।
ଶ୍ରୀକୃଷ୍ଣ ମଥୁରା ଚାଲିଯିବାରୁ ରାଧା ଖୁବ୍ ବ୍ୟଥିତ ହୋଇଥିଲେ। ଏଣୁ ସେ ତାଙ୍କର ପ୍ରତିବିମ୍ବକୁ ପିତା ବୃକ୍ଷମାନବଙ୍କ ଘରେ ଛାଡି ରାସମଣ୍ଡଳରେ ରହିବାକୁ ଲାଗିଥିଲେ। କୁହାଯାଏ ନିଧିବନ ହିଁ ସେହି ସ୍ଥାନ। କୃଷ୍ଣ ଗୋପୀମାନଙ୍କ ସହ ରାସଲିଳା କରୁଥିଲେ। ଏଣୁ ରାଧା ରାସମଣ୍ଡଳକୁ ଚାଲିଯାଇଥିବା ବେଳେ ତାଙ୍କ ପିତା ଗୋପ ନାମକ ଜନୈକ ଗୋପାଳଙ୍କ ସହ ରାଧାଙ୍କ ଛାୟାକୁ ବିବାହ କରାଇଦେଇଥିଲେ। ଏଣୁ ଗୋପ ରାଧାଙ୍କୁ ଅଭିଶାପ ଦେଇଥିଲେ। ଯେଉଁଥି ଲାଗି ୧ଶହ ବର୍ଷ ପର୍ଯ୍ୟନ୍ତ ରାଧା ଓ କୃଷ୍ଣଙ୍କ ମିଳନ ହୋଇ ପାରିନଥିଲା।
କଥାରେ ଅଛି ‘ନଅ ମହଣ ଘିଅ ହେବ ନା ରାଧା ନାଚିବ’ ଏହି ଆପ୍ତ ବାକ୍ୟର ବି ଏକ କାରଣ ଅଛି। ରାସମଣ୍ଡଳରେ ଯେତେବେଳେ ରାଧାକୃଷ୍ଣଙ୍କ ରାସ ହୁଏ ସେଥି ଲାଗି ୯ ମହଣ ଅର୍ଥାତ ୪ ଲିଟର ତେଲରେ ଦୀପ ଜଳାଇ ରାସମଣ୍ଡଳକୁ ଆଲୋକିତ କରାଯାଉଥିଲା। ଏଣୁ କୃଷ୍ଣଙ୍କ ରାସ ଲିଳା ଲାଗି ୯ ମହଣ ଘିଅର ଆବଶ୍ୟକତା ପଡେ।
ରାଧାଙ୍କୁ ଗୋପ ଦେଇଥିବା ଅଭିଶାପ ଦ୍ୱାପର ଯୁଗର ଶେଷ ସୂର୍ଯ୍ୟଗ୍ରହଣ ଦିନ କୁରୁକ୍ଷେତ୍ରରେ ପୁରଣ ହୋଇଥିଲା। କୁହାଯାଏ ରାଧାକୃଷ୍ଣ ଓ ଗୋପୀଙ୍କର ସେହିଦିନ ମହାମିଳନ ହୋଇଥିଲା ଓ ଗୋପୀମାନେ ଗୋଲକଧାମ ଚାଲିଯାଇଥିଲେ। ରାଧା ଓ କୃଷ୍ଣଙ୍କ ପ୍ରେମକୁ ଶଂସାର ଆଜି ବି ଝୁରୁଛି। ଏଥିଯୋଗୁ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମକୁ ଆଜି ବି ସର୍ବୋଚ୍ଚସ୍ଥାନ ମିଳିଥାଏ। ଏହି କାରଣରୁ କୃଷ୍ଣଙ୍କ ଆଗରୁ ରାଧାଙ୍କ ନାମ ନେଇଥାନ୍ତି ଭକ୍ତ।
ଶ୍ରୀକୃଷ୍ଣ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କୁ ପୁରାଣ ଗାଥା କାହିଁକି ଲୌକିକ ଜୀବନରେ ବି ଲୋକେ ଅନୁଭବ କରନ୍ତି। ସେ ଗୁରୁ ସନ୍ଦିପନୀଙ୍କ ଶିଶ୍ୟ ଥିଲେ କୃଷ୍ଣ। ଗୁରୁଙ୍କୁ ଦକ୍ଷିଣା ବାବଦେ ଶ୍ରୀକୃଷ୍ଣ ଯାହା ଦେଇଥିଲେ ତାହା ଏପର୍ଯ୍ୟନ୍ତ ବିଶ୍ୱରେ କୌଣସି ଶିଶ୍ୟ ତାଙ୍କୁ ଗୁରୁଙ୍କୁ ଦେଇନାହାନ୍ତି। ଶ୍ରୀକୃଷ୍ଣ ତାଙ୍କ ଗୁରୁଙ୍କ ପରଲୋକଗତ ପୁତ୍ରକୁ ଜୀବିତ ଫେରାଇ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣ ବାସ୍ତବିକ୍ ଅଲୌକିକ ବ୍ୟକ୍ତିତ୍ୱର ଧନୀଥିଲେ। କେବଳ ଗୁରୁଙ୍କ ପୁତ୍ରଙ୍କୁ ନୁହେଁ ତାଙ୍କ ମାଁଙ୍କର ୬ ମୃତ ପୁତ୍ରଙ୍କୁ ମଧ୍ୟ ତାଙ୍କ ସହ ଜୀବିତ ସାକ୍ଷାତ କରାଇଥିଲେ। କୃଷ୍ଣଙ୍କର ଏହି ୬ ଜଣ ବଡଭାଇ ହୀରଣ୍ୟକାଶ୍ୟପଙ୍କ ପୁତ୍ର ହୋଇ ଏକତ୍ର ଜନ୍ମ ହେବା ସହ ବଢୁଥିଲେ।
ପ୍ରାଚୀନକାଳରେ ଗୋକୁଳବାସୀ ଶରତ ଋତୁ ଆଗମନରେ ଇନ୍ଦ୍ରଙ୍କ ପୂଜା କରୁଥିଲେ। ଉତ୍ତମ ବର୍ଷା ସାଙ୍ଗକୁ ଶଶ୍ୟ ଶ୍ୟାମଳ ଧରଣୀ ପାଇଁ ସେମାନେ କରୁଥିବା ପୂଜାକୁ କୃଷ୍ଣ ବଳରାମ ବିରୋଧ କରିଥିଲେ। ଲୋକଙ୍କୁ କର୍ମତତ୍ପର କରିବା ଲାଗି ବଳରାମ ତାଙ୍କ ଆୟୁଧ ଲଙ୍ଗଳର ଉପଯୋଗ ଶିଖାଇବା ସହ ପଶୁପାଳନ ସହ କୃଷିର ମହତ୍ୱ ପ୍ରଚାର କରିଥିଲେ। ଏଥିଲାଗି କୃଷ୍ଣ ବଳରାମ ଗୋବର୍ଦ୍ଧନ ପୂଜାର ଆୟୋଜନ କରିଥିଲେ। ତେବେ ଏଥିରେ ଇନ୍ଦ୍ର କ୍ରୋଧିତ ହୋଇ ଭୀଷଣ ବର୍ଷା କରିଥିଲେ। ଗୋପପୁର ଜଳାର୍ଣ୍ଣବ ହେବାରୁ ଗିର ଗୋବର୍ଦ୍ଧନ ଉଠାଇ କୃଷ୍ଣ ଗୋକୁଳ ବାସୀଙ୍କୁ ବର୍ଷା ବିତ୍ପାତରୁ ରକ୍ଷା କରିଥିଲେ।
ରାଧାଙ୍କ ଜନ୍ମବୃତ୍ତାନ୍ତ ମଧ୍ୟ ବଡ ବିଚିତ୍ର। କୁହାଯାଏ ରାଧାଙ୍କ ଜନ୍ମ ମଥୁରା ରାବଲ ଗାଁରେ ହୋଇଥିଲା। ପ୍ରସ୍ଫୁଟି ପଦ୍ମଫୁଲ ଉପରେ ତାଙ୍କର ଜନ୍ମ ହୋଇଥିଲା। କୁହାଯାଏ ଏଠାରେ ରାଧାଙ୍କ ଜନ୍ମର ୫ ହଜାର ବର୍ଷ ପୂର୍ବରୁ ଯମୁନା ନଦୀ ପ୍ରବାହୀତ ହେଉଥିଲା। ଶାସ୍ତ୍ରଅନୁସାରେ ରାଧାଙ୍କ ମା କୃତି ସବୁଦିନ ଯମୁନାରେ ସ୍ନାନ କରିବା ପରେ କନ୍ୟା ଲାଗି କାମନା କରୁଥିଲେ। ସବୁଦିନ ପରି ସେଦିନ ମଧ୍ୟ ସେ ଯମୁନାରେ ଗାଧୋଇ କନ୍ୟା କାମନା କରିବା ବେଳେ ତାଙ୍କ ସମ୍ମୁଖରେ ଏକ ସ୍ୱର୍ଣ୍ଣକମଳ ପ୍ରତିଭାତ ହୋଇଥିଲା। ଆଗ୍ରହରେ ପଦ୍ମଫୁଲ ନିକଟକୁ କୃତି ଯିବାରୁ ତାହା ଫୁଟିଥିଲା। ଫୁଲର କେଶରରେ ଏକ ସ୍ୱର୍ଣ୍ଣାଭ କୁମାରୀ ଆଖି ବନ୍ଦ କରି ଶୟନ କରିଥଲା।
ତେବେ ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା। ଯେଉଁ ଦିନ ସେ କୃଷ୍ଣଙ୍କ ନାମ ଶୁଣିଲେ ସେଦିନ ତାଙ୍କ ଆଖି ଖୋଲିବା ସହ ସେ ଦୁନିଆ ଦେଖିଥିଲେ। ରାଧାଙ୍କ ନାମାନୁସାରେ ଏକ ଗାଁ ବି ରହିଛି ଯାହାକୁ ଲୋକେ ବରସାନା ବୋଲି କହନ୍ତି। ସେତେବେଳେ କଂସର ରାଜୁତି ଥିଲା। ତା ସୈନ୍ୟଙ୍କ ଭୟରେ ଲୋକେ ଗାଁ ଗଣ୍ଡା ଛାଡି ବଣ ଜଙ୍ଗଲକୁ ପଳାୟନ କରୁଥିଲେ। ଯେତେବେଳେ ବି ଗୋପପୁରକୁ କଂସର ଲୋକେ ଆସୁଥିଲେ ଗ୍ରାମବାସୀ ନିକଟସ୍ଥ ପାହାଡକୁ ଚାଲିଯାଉଥିଲେ। ଏଣୁ ପାହାଡ ଉପରେ ଆଉ ଏକ ଗାଁ ଗଢି ଉଠିଥିବା ବେଳେ ତା ନାମ ବରସାନା ରଖାଯାଇଥିଲା। ଏଠାରେ ରାଧାକୃଷ୍ଣଙ୍କ ପ୍ରେମର ପ୍ରମାଣ ଆଜି ବି ପ୍ରତିଭାତ ହେଉଛି। ବରସାନା ଗାଁରେ ଥିବା ଉଦ୍ୟାନରେ ଦୁଇଟି ବୃକ୍ଷ ଅଛନ୍ତି । ଏଥିରୁ ଗୋଟିକର ରଙ୍ଗ ଧବଳ ହୋଇଥିବା ବେଳେ ଅନ୍ୟଟି ଶ୍ୟାମ ବର୍ଣ୍ଣର।
