ରାଜ୍ୟରେ ପୂରଣ ହେବ ୫୧,୫୩୫ ଶିକ୍ଷକ ପଦ

ଭୁବନେଶ୍ୱର,୧୪/୩ : ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବ୍ୟୟ ଅଟକଳ ୨୨,୫୨୭.୮୦ କୋଟି ଟଙ୍କା ରହିଛି। ଯାହା ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ। ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୧, ୫୩୫ ପଦ ପୂରଣ କରାଯିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦରେ ନିଯୁକ୍ତି ଲାଗି ୧୦୪୫ କୋଟି ଟଙ୍କାରୁ ଅଧିକ ଟଙ୍କା ବରାଦ ହୋଇଛି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଆଉ ୨୩୭ଟି ଛାତ୍ରନିବାସ ନିର୍ମାଣ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବଢ଼ାଇ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ସହାୟତାପ୍ରାପ୍ତ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖାତା ବ୍ୟବସ୍ଥା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।