ବେଙ୍ଗାଲୁରୁ,୨୯/୩ : କର୍ଣ୍ଣାଟକରେ ୧୦ମେରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆଜି ଘୋଷଣା ହୋଇଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ ଲଢିବା ଲାଗି ଅଣ୍ଟା ଭିଡିଛି। ଏଥିରେ ଯାହା ଖବର ଆସୁଛି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗାମୀ ମାସରେ ତାଙ୍କର କର୍ଣ୍ଣାଟକ ଅଭିଯାନ ଆରମ୍ଭ କରିବେ। ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଥମ ରାଲି ଅନେକ ଦିଗରୁ ଖାସ ହେବ ବୋଲି ଏବେ ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧି ଏପ୍ରିଲ ୫ ତାରିଖରେ କୋଲାରରେ ରାଲି କରିବେ।
କୋଲାର ହେଉଛି ସେହି ସ୍ଥାନ ଯେଉଁଠି ରାହୁଲ ଗାନ୍ଧି ମୋଦି ସରନେମକୁ ନେଇ ଭାଷଣରେ ଟିପ୍ପଣୀ କରିଥିଲେ। ଏହି ଟିପ୍ପଣୀ ଯୋଗୁ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ସମାପ୍ତ ହୋଇଯାଇଛି। କର୍ଣ୍ଣାଟକ ପାର୍ଟି ମୁଖ୍ୟ ଡି.କେ.ଶିବ କୁମାର ‘ରାହୁଲ ଗାନ୍ଧି କୋଲାର ଫେରିବେ ଓ ତାଙ୍କର ସତ୍ୟମେବ ଜୟତେ ରାଲି’ ଆରମ୍ଭ କରିବେ ବୋଲି କହିଛନ୍ତି। ଆମେ ତାଙ୍କୁ ଅନୁରୋଧ କରିଛୁ ସେ ତାଙ୍କର ନିର୍ବାଚନ ଅଭିଯାନ ସେହି ଠାରୁ ଆରମ୍ଭ କରନ୍ତୁ ଯେଉଁଠି ସେ ବିବାଦୀୟ ବୟାନ ଦେଇଥିଲେ। ରାହୁଲ କୋଲାରରୁ ହିଁ ତାଙ୍କର ମେଗା ରାଲି ଆରମ୍ଭ କରିବେ ବୋଲି ଶିବକୁମାର କହିଛନ୍ତି।