ଆଜି ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁ‌ବନେଶ୍ବର ୩/୦୪ : ଆଜିଠାରୁ ୬ ଦିନିଆ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଟୋକିଓ‌ରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କେତେକ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ । ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସେହିପରି ଦୁବାଇରେ ନିବେଶକ ସମ୍ମିଳନୀରେ ୨୧ହଜାର କୋଟିର ପୁଞ୍ଜିନିବେଶ ଆସିବା ପରେ ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ବିଶେଷକରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଜାପାନ ଅଧିକ ପୁଞ୍ଜିନିବେଶ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଏବେ ଜାପାନର ପ୍ରାୟ ୫୦ରୁ ଅଧିକ କମ୍ପାନି ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ବଢ଼ାଇବାକୁ ଉଭୟ ଓଡ଼ିଶା ଓ ଜାପାନ ସରକାର ଆଶାବାଦୀ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହାରେ ଲଣ୍ଡନ ଗସ୍ତରେ ଯାଇଥିବାବେଳେ ୨୦୨୨ରେ ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଏହା ନବୀନଙ୍କ ତୃତୀୟ ବିଦେଶ ଗସ୍ତ।

SBI AD